ନୂଆଦିଲ୍ଲୀ,ଏଜେନ୍ସି: ମାନବିକତା ଦୃଷ୍ଟିକୋଣରୁ ତାଲିବାନ ଶାସନାଧୀନ ଆଫ୍ଗାନିସ୍ତାନକୁ ତୁରନ୍ତ ସହାୟତାର ହାତ ବଢାଇବାକୁ ଭାରତ ବ୍ୟତୀତ ୫ କେନ୍ଦ୍ର ଏସୀୟ ରାଷ୍ଟ୍ର ସମ୍ମତି ପ୍ରକାଶ କରିଛନ୍ତି। ଏହି ପ୍ରସଙ୍ଗରେ ଆଲୋଚନା କରିବାକୁ ରବିବାର ନୂଆଦିଲ୍ଲୀରେ ଭାରତ ସମେତ ୫ କେନ୍ଦ୍ର ଏସୀୟ ରାଷ୍ଟ୍ରର ବିଦେଶମନ୍ତ୍ରୀଙ୍କ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଭାରତର ବିଦେଶମନ୍ତ୍ରୀ ଏସ.ଜୟଶଙ୍କର ବୈଠକର ନେତୃତ୍ୱ ନେଇଥିବାବେଳେ ଏଥିରେ କାଜାଖ୍ସ୍ତାନ, କିର୍ଗିସ୍ତାନ, ତାଜିକିସ୍ତାନ, ତୁର୍କମେନିସ୍ତାନ ଓ ଉଜ୍ବେକିସ୍ତାନର ବିଦେଶମନ୍ତ୍ରୀ ଅଂଶଗ୍ରହଣ କରିଥିଲେ।
ଭାରତ ଓ କେନ୍ଦ୍ର ଏସୀୟ ରାଷ୍ଟ୍ର ମଧ୍ୟରେ ଏଭଳି ବୈଠକ ତୃତୀୟ ଥର ପାଇଁ ଅନୁଷ୍ଠିତ ହୋଇଯାଇଛି। ଯୁଦ୍ଧବିଧ୍ୱସ୍ତ ଆଫ୍ଗାନିସ୍ତାନର ଏକତା, ଅଖଣ୍ଡତା ଓ ସାର୍ବଭୌମତ୍ୱକୁ ଅକ୍ଷୁଣ୍ଣ ରଖି କିଭଳି ସହାୟତା ପ୍ରଦାନ କରାଯିବ, ସେ ପ୍ରସଙ୍ଗରେ ବୈଠକରେ ବିସ୍ତୃତ ଆଲୋଚନା ହୋଇଥିଲା। ଆଫ୍ଗାନିସ୍ତାନରେ କିପରି ଏକ ଶାନ୍ତିପୂର୍ଣ୍ଣ, ସୁରକ୍ଷିତ ଓ ସ୍ଥାୟୀ ସରକାର ଗଠନ କରାଯିବ, ସେଥିପାଇଁ ଏହି ରାଷ୍ଟ୍ରମାନେ ଉଦ୍ୟମ କରିବେ ବୋଲି ନିଷ୍ପତ୍ତି ନିଆଯାଇଛି। ପୁନଶ୍ଚ ଆଫ୍ଗାନିସ୍ତାନ ମାଟିକୁ ଆତଙ୍କବାଦୀମାନେ ଯେପରି ବ୍ୟବହାର ନକରନ୍ତି, ସେଥିପ୍ରତି ମଧ୍ୟ ସତର୍କ ଦୃଷ୍ଟି ରଖାଯିବ ବୋଲି ବୈଠକ ପରେ ଜାରି କରାଯାଇଥିବା ମିଳିତ ବିବୃତିରେ କୁହାଯାଇଛି। ଆତଙ୍କବାଦ ପ୍ରସଙ୍ଗରେ ଜାତିସଂଘର ପ୍ରସ୍ତାବ ୨୫୯୩କୁ କଡାକଡିଭାବେ କାର୍ଯ୍ୟକାରୀ କରିବାକୁ ସବୁ ବିଦେଶମନ୍ତ୍ରୀ ଏକମତ ହୋଇଛନ୍ତି। ଜାତିସଂଘର ଏହି ପ୍ରସ୍ତାବ ଅନୁଯାୟୀ ଆଫ୍ଗାନିସ୍ତାନ ମାଟିରେ କୌଣସି ପ୍ରକାର ଆତଙ୍କବାଦୀ ଯୋଜନା, ପ୍ରଶିକ୍ଷଣ କିମ୍ବା ଆତଙ୍କବାଦୀଙ୍କୁ ଆଶ୍ରୟ ଦେବାଭଳି କାର୍ଯ୍ୟକୁ ସୁଯୋଗ ଦିଆଯିବ ନାହିଁ।
ଆଫ୍ଗାନିସ୍ତାନ ପ୍ରସଙ୍ଗକୁ ଏହି ରାଷ୍ଟ୍ରମାନେ ସମୟକ୍ରମେ ସମୀକ୍ଷା କରିବା ସହ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ନିଷ୍ପତ୍ତି ନେବେ ବୋଲି ଜଣାପଡିଛି। ବର୍ତ୍ତମାନ ଆଫ୍ଗାନିସ୍ତାନର ଅର୍ଥନୀତି ସମ୍ପୂର୍ଣ୍ଣ ଭୁଶୁଡି ପଡିଥିବାବେଳେ ଘୋର ଖାଦ୍ୟ ସଙ୍କଟ ଦେଖାଦେଇଛି। ଲୋକେ ତାଲିବାନୀଙ୍କ ଭୟରେ ଦେଶଛାଡି ଯିବାକୁ ପ୍ରସ୍ତୁତ ହେଉଥିବାରୁ ସେଠାରେ ସାମାଜିକ ଓ ରାଜନୈତିକ ଅବସ୍ଥା ଅଚଳ ହୋଇପଡିଲାଣି। ଚଳିତବର୍ଷ ଅଗଷ୍ଟ ୧୫ରୁ ତାଲିବାନ ସଂଗଠନ କାବୁଲ ଅକ୍ତିଆର କରିସାରିଥିଲେ ସୁଦ୍ଧା ସେଠାରେ ଘୋଷିତ କାମଚଳା ସରକାର ଏପର୍ଯ୍ୟନ୍ତ ଶପଥଗ୍ରହଣ କରିପାରିନାହିଁ। ପୁନଶ୍ଚ କାଁଭାଁ ଦେଶକୁ ଛାଡିଦେଲେ ବିଶ୍ୱର ଅଧିକାଂଶ ରାଷ୍ଟ୍ର ଆଫ୍ଗାନିସ୍ତାନର ତାଲିବାନ ସରକାରକୁ ସ୍ୱୀକୃତି ମଧ୍ୟ ଦେଇନାହାନ୍ତି।
ତାଲିବାନ ସଂଗଠନର ଜିଦ୍ଖୋର ମନୋବୃତ୍ତି ଯୋଗୁଁ ସେଠାକାର ଜନସାଧାରଣଙ୍କ ଜୀବନ ଯେପରି ବିପର୍ଯ୍ୟସ୍ତ ହୋଇନପଡେ, ସେଥିପ୍ରତି ଯତ୍ନବାନ ହେବାକୁ ବୈଠକରେ ନିଷ୍ପତ୍ତି ନିଆଯାଇଛି। ଆଫ୍ଗାନିସ୍ତାନରେ ମହିଳାଙ୍କ ଅଧିକାର ସମେତ ଶିଶୁଙ୍କ ଭବିଷ୍ୟତକୁ ସୁରକ୍ଷିତ ରଖିବାକୁ ସମସ୍ତ ଉଦ୍ୟମ କରାଯିବ ବୋଲି ବିବୃତିରେ ଉଲ୍ଲେଖ କରାଯାଇଛି।