ରାଜସ୍ଥାନରେ ନାବାଳିକାକୁ ଗଣଦୁଷ୍କର୍ମ ମାମଲା; ୧୩ ଦୋଷୀଙ୍କୁ ୨୦ ବର୍ଷ ଲେଖାଏଁ ଜେଲ୍‌ଦଣ୍ଡ

ଜୟପୁର,ଏଜେନ୍ସି: ଜଣେ ୧୫ ବର୍ଷୀୟା ନାବାଳିକାକୁ ଗଣଦୁଷ୍କର୍ମ କରିଥିବା ଅଭିଯୋଗରେ ରାଜସ୍ଥାନର କୋଟାସ୍ଥିତ ଏକ ପୋକ୍‌ସୋ ଅଦାଲତ ୧୩ ଜଣଙ୍କୁ ଦୋଷୀସାବ୍ୟସ୍ତ କରିବା ସହ ପ୍ରତ୍ୟେକଙ୍କୁ ୨୦ ବର୍ଷ ଜେଲ୍ ଦଣ୍ଡାଦେଶ ପ୍ରଦାନ କରିଛନ୍ତି। ଏହାବ୍ୟତୀତ ନାବାଳିକାକୁ ଅପହରଣ କରିଥିବା ଅଭିଯୋଗରେ ଜଣେ ମହିଳାଙ୍କୁ ୪ ବର୍ଷ ସଶ୍ରମ କାରାଦଣ୍ଡାଦେଶ ମଧ୍ୟ ପ୍ରଦାନ କରାଯାଇଛି। ୧୩ ଜଣ ଦୋଷୀଙ୍କୁ ପ୍ରତ୍ୟେକ ୧୦ ହଜାର ଓ ସଂପୃକ୍ତ ମହିଳାଙ୍କୁ ୭ ହଜାର ଟଙ୍କା ଜୋରିମାନା ମଧ୍ୟ ଲାଗୁ କରାଯାଇଛି।

ଏହି ଘଟଣାରେ ୧୨ ଜଣ ନିର୍ଦ୍ଦୋଷରେ ଖଲାସ ହୋଇଥିବାବେଳେ ୪ ଜଣ ନାବାଳିକଙ୍କ ମାମଲା ଏବେମଧ୍ୟ ଜୁଭେନାଇଲ ଜଷ୍ଟିସ ବୋର୍ଡରେ ବିଚାରାଧୀନ ରହିଛି। ପୀଡିତାଙ୍କ ଏତଲା ଅନୁଯାୟୀ ପୂଜା ନାମ୍ନୀ ଏହି ମହିଳା ସ୍କୁଲବ୍ୟାଗ କିଣିଦେବା ବାହାନାରେ ତାଙ୍କୁ ଘରୁ ଡାକିନେଇ ଝଲାୱାରରେ ବିଭିନ୍ନ ଲୋକଙ୍କୁ ପର୍ଯ୍ୟାୟକ୍ରମେ ବିକ୍ରି କରିଦେଇଥିଲେ। ଅଭିଯୁକ୍ତମାନେ ସଂପୃକ୍ତ ନାବାଳିକାଙ୍କୁ ଦୀର୍ଘ ୯ ଦିନ ଗଣଦୁଷ୍କର୍ମ କରିଥିଲେ।