ପୂର୍ବ ଶତ୍ରୁତାକୁ ନେଇ ଜଘନ୍ୟ ହତ୍ୟାକାଣ୍ଡ

ରାୟଗଡା,ଏନ୍ଏନ୍ଏସ୍ : ପୂର୍ବ ଶତ୍ରୁତା ଓ ସାମାନ୍ୟ ବଚସାକୁ ନେଇ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଯାଇଛି। ଏପରି ଏକ ଘଟଣା ଆମ୍ବାଦୋଳା ଥାନା କୁଟରିପଲି ଗ୍ରାମରେ ଘଟିଯାଇଛି। ସୂଚନା ଅନୁସାରେ, ମୃତକ ବିଜୟ ପାତ୍ର ( ୫୦) ନିଜ ଘର ଗଜକୁପୁଲିକୁ କୁଟ୍ରୁପଲି ଗ୍ରାମ ରାସ୍ତାଦେଇ ଫେରଥିବା ବେଳେ ଅଭିଯୁକ୍ତ ବୀର କେଶରୀ ବସରାଇ ସ୍ଥାନୀୟ ସରକାରୀ ସ୍କୁଲ ନିକଟରେ ମୃତ ବିଜୟ ପାତ୍ର ପରିବାରଙ୍କ ସମ୍ପର୍କରେ ଅପମାନଜନକ ମନ୍ତବ୍ୟ ଦେଇଥିଲା। ଘଟଣାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ଏହା ପୂର୍ବରୁ ମଧ୍ୟ ମୃତ ବିଜୟ ପାତ୍ର ଏବଂ ଅଭିଯୁକ୍ତ ବୀର କେଶରୀଙ୍କ ବାପା ମଧ୍ୟରେ ଶତ୍ରୁତା ଲାଗି ରହିଥିଲା। ଏହି ଘଟଣାକୁ ନେଇ ଅଭିଯୁକ୍ତ ବୀର କେଶରୀ ବିଜୟ ପାତ୍ରକୁ ହତ୍ୟା କରିବା ପାଇଁ ଯୋଜନା କରିଥିଲା। ମୃତ ବିଜୟ ପାତ୍ର ନିଜ ଗ୍ରାମ ଗଜକୁପୁଲିକୁ ଫେରୁଥିବା ସମୟରେ ବୀର କେଶରୀ ଏକ ନିଛାଟିଆ ସ୍ଥାନରେ ବିଜୟଙ୍କୁ ଆକ୍ରମଣ କରିବା ପରେ ଗଳା ଚିପି ହତ୍ୟା କରିଥିଲା। ବିଜୟ ପାତ୍ରଙ୍କୁ ହତ୍ୟା କରାଯାଇଛି ବୋଲି ଗୋପାଳ ପାତ୍ର ଆମ୍ବାଦୋଳା ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ। ଏ ନେଇ ଥାନାରେ ମାମଲା ରୁଜୁ ହୋଇଥିଲା। ଆମ୍ବାଦୋଳ ପୁଲିସ ଅଭିଯୁକ୍ତ ବୀର କେଶରୀଙ୍କୁ ଗିରଫ କରିଥିଲା। ପୁଲିସର ପଚରା ଉଚରା ସମୟରେ ଅଭିଯୁକ୍ତ ବୀର ହତ୍ୟା କରିଥିବା ସ୍ୱୀକାର କରିଥିଲା। ହତ୍ୟାକାଣ୍ଡରେ ବ୍ୟବହୃତ ଛୁରିକୁ ମଧ୍ୟ ପୁଲିସ ଜବତ କରିଛି।