ଜମିଜମା ବିବାଦରୁ ଭାଙ୍ଗିଦେଲେ ଘର: ଧାନ, ଚାଉଳ ଓ ଟଙ୍କା ଲୁଟ୍

ଦାରିଙ୍ଗବାଡ଼ି,ଫୁଲବାଣୀ,ଏନ୍ଏନ୍ଏସ୍: ଦାରିଙ୍ଗବାଡ଼ି ଥାନା ସିର୍କାବର୍ଗ ପଞ୍ଚାୟତ ମାଣିକଯୋଡ଼ି ଗ୍ରାମରେ ଏକ ଜମିଜମା ବିବାଦରୁ ଜୈନକ ବ୍ୟକ୍ତିଙ୍କର ଘର ଭାଙ୍ଗି ଆସବାବପତ୍ର ଏବଂ ଧାନ, ଚାଉଳ ଓ ନଗଦ ଟଙ୍କା ଲୁଟ ହୋଇଥିବା ନେଇ ଦାରିଙ୍ଗବାଡ଼ି ଥାନାରେ ଲିଖିତ ଅଭିଯୋଗ ହୋଇଛି। ଦାରିଙ୍ଗବାଡ଼ି ଥାନାରେ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଥିବା ଥାନା ଅଧିକାରୀ କୌଶିକ ମାଝୀ ପ୍ରକାଶ କରିଛନ୍ତି। ଅଭିଯୋଗ ମୁତାବକ, ମାଣିକ ଯୋଡ଼ି ଗ୍ରାମର ଶୁକଦେବ ପ୍ରଧାନ ନାମକ ବ୍ୟକ୍ତି ଏକ ଅନାବାଦୀ ପଦର ଜମିରେ ଧାନ, ମାଣ୍ଡିଆ ଆଦି ଚାଷ କରିବା ସହିତ ବହୁବର୍ଷ ହେବ ଏକ ଛୋଟ ଘର କରି ରହିଆସୁଥିଲେ। ତେବେ ଗତ ୧୦ତାରିଖ ଦିନ ଶୁକଦେବ ଚାଷ କରିଥିବା ଧାନ କାଟି ଘରେ ରଖିଥିବା ବେଳେ ୫୦ରୁ୬୦ଜଣ ବ୍ୟକ୍ତି ଟାଙ୍ଗିଆ, ବନ୍ଧୁକ, କୁରାଢ଼ୀ ଧରି ତାଙ୍କ ଘରକୁ ଆସି ଘରେ ଥିବା ଧାନ, ଚାଉଳ, ମାଣ୍ଡିଆ ଏବଂ ନଗଦ୨୦ହଜାରଟଙ୍କା ସହିତ ୨ଟି ସୋଲାର ପ୍ଲେଟ ଓ ୨ଟି ବ୍ୟାଟେରୀ ଲୁଟି ନେଇଥିବା ବେଳେ ଘରଟିକୁ ସମ୍ପୂର୍ଣ୍ଣ ଭାଙ୍ଗିଦେଇ ଥିଲେ। ଏନେଇ ଶୁକଦେବ ଦାରିଙ୍ଗବାଡ଼ି ଥାନାରେ ଲିଖିତ ଅଭିଯୋଗ କରିଥିବା ବେଳେ ଦାରିଙ୍ଗବାଡ଼ି ଥାନା ଅଧିକାରୀ ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ ବିବାଦୀୟ ଜମିଟି କାହା ନାମରେ ନଥିବା ପ୍ରକାଶ କରିଛନ୍ତି। ଅନ୍ୟପକ୍ଷରେ ଶୁକଦେବଙ୍କ ଘର ଭାଙ୍ଗିଦେବା ଯୋଗୁଁ ବର୍ତ୍ତମାନ ତାଙ୍କ ପରିବାର ଏକ ଗଛ ମୂଳେ ଆଶ୍ରୟ ନେଇଛନ୍ତି। ତେବେ କେଉଁ କାରଣ ଯୋଗୁଁ ଓ କେଉଁମାନେ ଏଭଳି କରିଛନ୍ତି ତାହା ଜଣାପଡ଼ିନଥିବା ବେଳେ ପୁଲିସ୍ ତଦନ୍ତ ଆରମ୍ଭ କରିଛି।