ମା’ ସମ୍ମୁଖରେ ପୁଅକୁ ହାଣି ଦେବା ଘଟଣା, ୪ ଅଭିଯୁକ୍ତଙ୍କୁ ଗିରଫ କଲା ବଲାଙ୍ଗିର ପୁଲିସ

ବଲାଙ୍ଗିର,ଏନ୍‌ଏନ୍‌ଏସ୍: ଗତ ୧୬ ତାରିଖ ସକାଳୁ ମା’-ପୁଅ ଭୀମଭୋଇ ମେଡିକାଲ ପରିସର ସ୍ଥିତ ନିଜ ଇଡିଲି ଦୋକାନକୁ ଯାଉଥିବାବେଳେ କିଛି ଅଭିଯୁକ୍ତ ପଛପଟୁ ଆସି ମା’ ଜୟନ୍ତି ଓ ପୁଅ ଅଜୁକୁ ଅତର୍କିତ ଆକ୍ରମଣ କରିଥିଲେ। ଆକ୍ରମଣରେ ପୁଅ ଅଜୁର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଥିଲା। ସେହିପରି ମା’ ଗୁରୁତର ଭାବେ ଆହତ ହୋଇଥିଲେ। ଉକ୍ତ ଘଟଣାକୁ କେନ୍ଦ୍ର କରି ଆଜି ବଲାଙ୍ଗିର ପୁଲିସ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରାଯାଇ ଘଟଣାରେ ସଂପୃକ୍ତ ଥିବା ୪ ଅଭିଯୁକ୍ତଙ୍କୁ ଗିରଫ କରିବା ସହିତ ସେମାନଙ୍କ ପାଖରୁ ଏକ ପଲସର୍ ଗାଡି, ଦୁଇଟି ରକ୍ତଭିଜା ମାରଣାସ୍ତ୍ର, ୯୫୦୦ ଟଙ୍କା ଓ ୫ଟି ମୋବାଇଲ ଜବତ କରିଥିବା ନେଇ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ନିତିନ କୁଶଲକର ସୂଚନା ଦେଇଛନ୍ତି।

ଉକ୍ତ ୪ ଜଣ ଯୁବକ ହେଲେ ବଲାଙ୍ଗିର ସୁଦପଡା ବାସିନ୍ଦା ମୁନା ଦୋରା (୨୭), ଲଳିତ ନଗର ବାସିନ୍ଦା ରାହୁଲ ପାଣିଗ୍ରାହୀ (୨୭), ବ୍ରାହ୍ମଣପଡା ନିବାସୀ ଚନ୍ଦ୍ର ପ୍ରଧାନ (୨୭) ଓ ନୂଆପଡା ଜିଲ୍ଲା ମନ୍ଦିର ପଡାର ସୋମ ପୁଞ୍ଜି (୨୪)। ପୂର୍ବ ଶତୃତା ହିଁ ଏହି ହତ୍ୟାକାଣ୍ଡର ମୁଖ୍ୟ କାରଣ ବୋଲି ପ୍ରକାଶ କରିଛନ୍ତି। ଘଟଣାର ମୁଖ୍ୟ ଅଭିଯୁକ୍ତ ମୁନା ଦୋରା ମୃତକ ଅଜୁକୁ ମାରିବା ପାଇଁ ବାରମ୍ବାର ପ୍ରୟାସ କରି ବିଫଳ ହୋଇଥିଲା। ଏଥର କିନ୍ତୁ ଅଜୁକୁ ମାରିବା ପାଇଁ ମୁନା ଦୁଇ ଜଣ ସୁପାରୀ କିଲର ରାହୁଲ ଓ ସୋମକୁ ଏକ ଲକ୍ଷ ଟଙ୍କା ସୁପାରୀ ଯାଚିଥିଲା। ଘଟଣା ଦିନ ସୁପାରି କିଲରଙ୍କୁ ମୁନା ନିଜେ ମାରଣାସ୍ତ୍ର ଯୋଗାଇ ଦେଇଥିବା ବେଳେ ସେମାନେ ଏଥର ଅଜୁକୁ ମାରିବାରେ ସଫଳ ହୋଇଥିଲେ।

ଏହି ହତ୍ୟାକାଣ୍ଡକୁ ବଲାଙ୍ଗିର ପୁଲିସ ଗୁରୁତର ସହ ନେଇ ଏସଡିପିଓ ତୋଫାନ ବାଗଙ୍କ ନେତୃତ୍ୱରେ ଇନ୍ସପେକ୍ଟର କେ ପ୍ରିୟାଙ୍କା ରାଉତ ରାଏ, ଶ୍ରିକାନ୍ତ ସାହୁ, ରାଜେନ୍ଦ୍ର ବେହେରା, ଏସ୍‌ଆଇ ଅବିନାଶ ନାୟକ, ପୂର୍ଣ୍ଣମୀ ଓରାମ, ଏଏସ୍‌ଆଇ ବୈକୁଣ୍ଠ ଦେହୁରୀ ଓ ମମତା ପ୍ରଧାନ ଦିନ ରାତି ପରିଶ୍ରମ କରି ସମସ୍ତ ଅଭିଯୁକ୍ତଙ୍କୁ ମାରଣାସ୍ତ୍ର ସହ ଗିରଫ କରିବାରେ ସଫଳ ହୋଇଥିଲେ। ତେବେ ସମସ୍ତ ଅଭିଯୁକ୍ତଙ୍କୁ ଆଜି କୋର୍ଟ ଚାଲାଣ କରାଯିବ ବୋଲି ପୁଲିସ ସୂଚନା ଦେଇଛି।