କନ୍ଧମାଳ: ଏସଓଜି ଓ ଡ଼ିଭିଏଫ୍‌ ଯବାନଙ୍କୁ ବିପୁଳ ସଫଳତା

ଫୁଲବାଣୀ/ଗୋଛାପଡା,ଏନ୍ଏନ୍ଏସ୍: କନ୍ଧମାଳରେ ଏସଓଜି ଓ ଡ଼ିଭିଏଫ୍‌ ଯବାନଙ୍କୁ ବିପୁଳ ସଫଳତା ମିଳିଛି। ଏସ୍‌ପି ଭିନୀତ ଅଗ୍ରୱାଲଙ୍କ ନିର୍ଦ୍ଦେଶରେ ଏସଓଜି ଓ ଡ଼ିଭିଏଫ୍‌ ଯବାନ ମାନେ ଲଗାଣ ବର୍ଷା ସତ୍ତ୍ୱେ ଗତ ମଙ୍ଗଳବାର ଓ ବୁଧବାର ୨ ଦିନ ଗୋଛାପଡା ଥାନା ସୁମଙ୍ଗି ଗ୍ରାମ ନିକଟ ଜଙ୍ଗଲରେ କମ୍ବିଂ ଅପରେସନ କରିବା ସହ ମାଓ କ୍ୟାମ୍ପ ଉପରେ ମଧ୍ୟ ଚଢ଼ଉ କରିଥିଲେ। ଏହି ଚଢଉରେ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ କରିଥିବା ନେଇ ଶୁକ୍ରବାର କନ୍ଧମାଳ ଏସ୍‌ପି ଭିନୀତ ଅଗ୍ରଓ୍ୱାଲ ନିଜ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଆୟୋଜିତ ଏକ ଜିଲ୍ଲାସ୍ତରୀୟ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ଜବତ ସାମଗ୍ରୀ ମଧ୍ୟରେ ରହିଛି କିଛି ମାଓ ପୋଷାକ, ମେଡିସିନ, ଜିଲେଟିନ ଷ୍ଟିକ, ବିଦ୍ୟୁତ ତାର, ଜଗ କମଳ, ଜ୍ୟାକେଟ, ସେଫଟି ଫିଉଜ, ସାବୁନ ତେଲ, ଲେଡ଼ିଜ ଇନର ଆଦି ୧୮ ପ୍ରକାର ସାମଗ୍ରୀ ଥିବା ଏସପି ବିନୀତ ଅଗ୍ରୱାଲ କହିଛନ୍ତି।

ସୂଚନାଯୋଗ୍ୟ ଯେ, ଗତ ମେ’ ମାସ ୨୨ରେ ଛତିଶଗଡ଼ ବିଜେପୁର ଜିଲ୍ଲା ଅନ୍ତର୍ଗତ ବାସା ଗୁଡାଥାନା ଅନ୍ତର୍ଗତ ଡ଼ାଲା ଗ୍ରାମର ଅଶୋକ ପୁନେ ନାମକ ଜଣେ ହାର୍ଡକୋର ମାଓବାଦୀ ଓ ଏରିଆ କମିଟି ସଦସ୍ୟ ଏସ୍‌ପି ଭିନୀତ ଅଗ୍ରୱାଲଙ୍କ ନିକଟରେ ଆତ୍ମସମର୍ପଣ କରିଥିଲା। କନ୍ଧମାଳରେ ଲଗାତାର କମ୍ବିଂ ଅପରେସନ ଯୋଗୁଁ ଜିଲାରେ ମାଓ ସଂଗଠନ ଦିନକୁ ଦିନ ଦୁର୍ବଳ ହେବାରେ ଲାଗିଥିବା ଜଣାପଡିଛି। ଆଗକୁ କମ୍ବିଂ ଜାରି ରହିବ ବୋଲି ଏସ୍‌ପି ପ୍ରକାଶ କରିଛନ୍ତି।