ଗୋହିଡ଼ା ହତ୍ୟାକାଣ୍ଡ ଘଟଣାରେ ଜେଲ ଗଲା ହତ୍ୟାକାରୀ ସାଙ୍ଗ

ଦେବଗଡ଼/ରିଆମାଳ,ଏନ୍‌ଏନ୍‌ଏସ୍‌: ଅତ୍ୟଧିକ ନିଶାପାନ କରି ସାମାନ୍ୟ କଥାରେ ସାଙ୍ଗକୁ ହତ୍ୟା କରି ଗିରଫ ହୋଇଥିବା ସାଙ୍ଗକୁ ଆଜି କୁଣ୍ଢେଇଗୋଳା ଥାନା ପୁଲିସ କୋର୍ଟ ଚାଲାଣ କରିଥିବାବେଳେ ଅଦାଲତରେ ଜାମିନ ନାମଞ୍ଜୁର ହେବାରୁ ଅଭିଯୁକ୍ତକୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । ମିଳିଥିବା ରିପୋର୍ଟ ମୁତାବକ, ଗତ ରାତିରେ ଗୋହିଡ଼ା ଗ୍ରାମର ବାଙ୍ଗରୁ ନାୟକଙ୍କ ପୁଅ ରଞ୍ଜିତ ନାୟକ ଓ ଅରକ୍ଷିତ କୁମୁରାଙ୍କ ପୁଅ ପ୍ରଭାତ କୁମୁରା ଅତ୍ୟଧିକ ନିଶା ସେବନ କରିବା ସହ କୌଣସି କଥାକୁ କେନ୍ଦ୍ର କରି ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା । ଏହି ସମୟରେ ପ୍ରଭାତଙ୍କ ପିତା ଅରକ୍ଷିତ ରଞ୍ଜିତକୁ ବୁଝାସୁଝା ପାଇଁ ଉଦ୍ୟମ କରୁଥିବାବେଳେ ସେ ଉତକ୍ଷିପ୍ତ ହୋଇ ଅରକ୍ଷିତଙ୍କ ବେକକୁ ଧରି ପକାଇଥିଲା । ପରେ ଦୁହେଁ ନିଜ ନିଜ ଘରକୁ ଚାଲି ଯାଇଥିବାବେଳେ ରାତି ପ୍ରାୟ ସାଢ଼େ ୧୦ଟା ସମୟରେ ମୃତ ରଞ୍ଜିତଙ୍କ ବନ୍ଧୁ ପ୍ରଭାତ ଏକ ଟାଙ୍ଗିଆ ଧରି ତାଙ୍କ ଘରକୁ ଆସିଥିଲେ । ଘର ବାରଣ୍ଡାରେ ରଞ୍ଜିତ ଶୋଇଥିବା ଅବସ୍ଥାରେ ପ୍ରଭାତ ଟାଙ୍ଗିଆ ସାହାଯ୍ୟରେ ଆକ୍ରମଣ କରିଥିଲା । ଫଳରେ ଘଟଣାସ୍ଥଳରେ ରଞ୍ଜିତର ମୃତ୍ୟୁ ଘଟିଥିବାବେଳେ ହତ୍ୟାକାରୀ ବନ୍ଧୁ ସେଠାରୁ ଫେରାର ହୋଇଯାଇଥିଲା । ଏସମ୍ପର୍କରେ ସୂଚନା ପାଇ ଖଇରପାଲି ଫାଣ୍ଡି ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଥିଲା । ଏହାସହ ଅଭିଯୁକ୍ତ ପ୍ରଭାତକୁ ଖୋଜାଖୋଜି କରି ଗ୍ରାମ ନିକଟରୁ କାବୁ କରିଥିଲା ଏବଂ ହତ୍ୟାକାଣ୍ଡରେ ବ୍ୟବହୃତ ଟାଙ୍ଗିଆକୁ ଜବତ କରିଥିଲା ।