ମୂର୍ତ୍ତି ଚୋରି ଘଟଣା, ଅଭିଯୁକ୍ତଙ୍କୁ ନଈରୁ ଧରିଲା ପୁଲିସ

  • ପଟ୍ଟାମୁଣ୍ଡାଇ,ଏନ୍ଏନ୍ଏସ୍: ପଟ୍ଟାମୁଣ୍ଡାଇ ଥାନା ଅନ୍ତର୍ଗତ ଦାଣ୍ଡିସାହି ରାମ ମନ୍ଦିରରୁ ଚୋରି ହୋଇଥିବା ପ୍ରାଚୀନ ମୂର୍ତ୍ତିକୁ ପଟ୍ଟାମୁଣ୍ଡାଇ ପୁଲିସ ଜବତ କରିବା ସହିତ ଅଭିଯୁକ୍ତଙ୍କୁ ନଈ ମଧ୍ୟରୁ ଗିରଫ କରିଛି। ଅଭିଯୁକ୍ତ ହେଲେ ନାହିଆଡିଆ ଗ୍ରାମର ଭରତ ମଳିକ। ରବିବାର ପଟ୍ଟାମୁଣ୍ଡାଇ ଥାନାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପଟ୍ଟାମୁଣ୍ଡାଇ ଏସଡିପିଓ ସନ୍ଧ୍ୟାରାଣୀ ବେଉରିଆ ଏସମ୍ପର୍କରେ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ପଟ୍ଟାମୁଣ୍ଡାଇ ଥାନା ଅନ୍ତର୍ଗତ ଦାଣ୍ଡିସାହି ରାମ ମନ୍ଦିରରୁ ଗତ ୨ ତାରିଖ ବିଳମ୍ବିତ ରାତିରେ ବହୁ ପୁରାତନ ମୂର୍ତ୍ତି ସହ ଅଳଙ୍କାର ଚୋରି ହୋଇଯାଇଥିଲା। ଏନେଇ ପଟ୍ଟାମୁଣ୍ଡାଇ ଥାନାରେ ରଶ୍ମିରଞ୍ଜନ ରାଉତ ଏତଲା ଦେଇଥିଲେ। ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଆଇଆଇସି ରାକେଶ କୁମାର ତ୍ରିପାଠୀଙ୍କ ନିର୍ଦ୍ଦେଶରେ ସ୍ଥାନୀୟ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ଆଇଆଇସି ଶ୍ରୀ ତ୍ରିପାଠୀ ଓ ଚଉଦକୁଲାଟ ଫାଣ୍ଡି ଅଫିସର ବିଲ୍ୱମଙ୍ଗଳ ସେଠୀଙ୍କ ନେତୃତ୍ୱରେ ଗଠିତ ସ୍ୱତନ୍ତ୍ର ସ୍କ୍ୱାଡ୍ ବିଭିନ୍ନ ସ୍ଥାନରେ ଚଢ଼ଉ କରିଥିଲେ। ରବିବାର ପୁଲିସ ଚୋରକୁ ଧରିବାକୁ ଉଦ୍ୟମ କରିଥିବାବେଳେ ସେ ନଈ ମଧ୍ୟକୁ ଡେଇଁ ପଡ଼ିଥିଲା। ପୁଲିସ ନଈରୁ ଭରତଙ୍କୁ ଧରି କେସ ନଂ. ୪୧୧/୨୦୨୧ରେ ଏକ ମାମଲା ରୁଜୁ ଗିରଫ କରିଛି। ସୋମବାର କୋର୍ଟଚାଲାଣ କରାଯିବ ବୋଲି ଏସଡିପିଓ ଶ୍ରୀମତୀ ବେଉରିଆ ପ୍ରକାଶ କରିଥିଲେ। ଏହି ସାମ୍ବାଦିକ ସମ୍ମିଳନୀରେ ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଆଇଆଇସି ରାକେଶ ତ୍ରିପାଠୀ, ଚଉଦକୁଲାଟ ଫାଣ୍ଡି ଅଫିସର ବିଲ୍ୱମଙ୍ଗଳ ସେଠୀ ଉପସ୍ଥିତ ଥିଲେ।