ଯୁବକଙ୍କୁ ଅପହରଣ ମାମଲା: ଅନ୍ୟ ମୁଖ୍ୟ ଅଭିଯୁକ୍ତର ଆତ୍ମସମର୍ପଣ

ରାୟଗଡ଼ା,ଏନ୍ଏନ୍ଏସ୍: ଟ୍ରେନରୁ ଯୁବକଙ୍କୁ ଅପହରଣ ଘଟଣାର ଅନ୍ୟତମ ଅଭିଯୁକ୍ତ ଗାଣ୍ଡେଟ୍ରି ବାଙ୍ଗାରି ରାୟଗଡ଼ା ଜିଲ୍ଲା ଏସଡିଜିଏମ କୋର୍ଟରେ ଆତ୍ମସମର୍ପଣ କରିଛି। ଘଟଣାରେ ମୁଖ୍ୟ ଅଭିଯୁକ୍ତ ହଡିପା ଶିବାକୁ ଟାଉନ ପୁଲିସ ଏନକାଉଣ୍ଟର କରି ଧରିବା ପରେ ବାଙ୍ଗାରି କୋର୍ଟରେ ଆତ୍ମସମର୍ପଣ କରିଛି। ଆତ୍ମସମର୍ପଣ ବେଳେ ବାଙ୍ଗାରି ପକ୍ଷରୁ ଆଇନଜୀବୀ ନବ କାଣ୍ଟା ଓ ସରକାରଙ୍କ ତରଫରୁ ଆଇନଜୀବୀ ସଚିଦାନନ୍ଦ ଖାଡ଼ଙ୍ଗା କୋର୍ଟରେ ଉପସ୍ଥିତ ଥିଲେ।

ଘଟଣାର ଅଧିକ ଛାନଭିନ କରିବା ସକାଶେ ଅଭିଯୁକ୍ତକୁ ଟାଉନ ପୁଲିସ ରିମାଣ୍ଡରେ ନେଇ ଏସଡିଜିଏମଙ୍କ ନିକଟରେ ଅବେଦନ କରିଥିବା ରାୟଗଡ଼ା ଥାନା ଅଧିକାରୀ ନିହାର ରଞ୍ଜନ ପ୍ରଧାନ ସୂଚନା ଦେଇଛନ୍ତି। ତେବେ ବାଙ୍ଗାରିକୁ ପୁଲିସ ସନ୍ଧାନ କରୁଥିବା ଜଣାଯାଇଛି।

ସୂଚନା ଅନୁସାରେ ଆଲେପି ଧନବାଦ ଏକ୍ସପ୍ରେସ୍ ଟ୍ରେନରେ ଯାତ୍ର କରୁଥିବା ସୁବର୍ଣ୍ଣପୁର ଏମ ରାମପୁର ଅଞ୍ଚଳର ବିଭୂତି ପୂଜାରି ନାମକ ଯୁବକକୁ ରାୟଗଡ଼ା ଠାରୁ ୨୦ କିଲୋମିଟର ଦୂର ଲାଡ୍ଡା ଷ୍ଟେସନରୁ ଅପହରଣ କରି ପରିବାର ଲୋକଙ୍କୁ ୧୦ଲକ୍ଷ ଟଙ୍କା ଦାବି କରିଥିଲେ।

ତେବେ ପରିବାର ଲୋକେ ଉକ୍ତ ଘଟଣା ସମ୍ପର୍କରେ ଥାନାରେ ଅଭିଯୋଗ କରିବା ପରେ ପୁଲିସ ଘଟଣାର ତଦନ୍ତ ଏଥିରେ ସମ୍ପୃକ୍ତ ଥିବା ୧୧ଜଣଙ୍କ ମଧ୍ୟରୁ ୩ଜଣ ନାବାଳକଙ୍କ ସମେତ ମୋଟ ୭ ଜଣ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିଛି। ଯେଉଁଥିରେ ମୁଖ୍ୟ ଅଭିଯୁକ୍ତ ହଡିପା ଶିବାକୁ ପୁଲିସ ଏନକାଉଣ୍ଟର କରି ଗିରଫ କରିଛି। ବର୍ତ୍ତମାନ ଶିବ ଆହତ ଅବସ୍ଥାରେ ବ୍ରହ୍ମପୁରସ୍ଥିତ ଏମକେସିଜି ମେଡିକାଲ କଲେଜରେ ଚିକିତ୍ସିତ ହେଉଥିବା ଜଣାଯାଇଛି।