ସଇଁନ୍ତଲା,ଏନ୍ଏନ୍ଏସ୍: ରାଜ୍ୟରେ ଦିନକୁଦିନ ସାମ୍ୱାଦିକଙ୍କ ଉପରେ ଆକ୍ରମଣ ବୃଦ୍ଧି ପାଇଥିବାବେଳେ ସେମାନଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏହି ପରିପ୍ରେକ୍ଷୀରେ ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକ ‘ନିତିଦିନ’ ପ୍ରତିନିଧି ଅଜିତ କୁମାର ସାହୁଙ୍କୁ ଅପହରଣ ଓ ହତ୍ୟା ଧମକ ମିଳିଥିବା ନେଇ ସଇଁନ୍ତଲା ଥାନାରେ ଅଭିଯୋଗ ହୋଇଛି । ସଇଁନ୍ତଲାସ୍ଥିତ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପାଖେ ଥିବା ଏକ ମନ୍ଦିର ସମ୍ମୁଖରେ କିଛି ସାମ୍ୱାଦିକଙ୍କ ସହିତ ବସି କଥା ହେଉଥିବା ବେଳେ ସ୍ଥାନୀୟ ବିଡିଓ କାର୍ଯ୍ୟାଳୟ ସମ୍ମୁଖରେ ମିଶନ ଶକ୍ତି ଗୃହ ନିର୍ମାଣ କରୁଥିବା ଠିକାଦାରଙ୍କ ସହଯୋଗୀ ଆଶିଷ ଥାର୍ଟି ହଠାତ ଆସି ଅଜିତଙ୍କୁ ଗାଳିଗୁଲଜ କରିବା ସହ ଜୀବନରୁ ମାରିଦେବା ପାଇଁ ଧମକ ଦେଇଥିଲେ । ଏହି ସମୟରେ ୨ଜଣ ସାମ୍ୱାଦିକ ଏହାକୁ ପ୍ରତିବାଦ କରିବାରୁ ସେମାନଙ୍କୁ ମଧ୍ୟ ସଂପୃକ୍ତ ଠିକାଦାରର ସହଯୋଗୀ ଧମକ ଦେଇଥିବା ନେଇ ସଇଁନ୍ତଳା ଥାନାରେ ଅଜିତ ଲିଖିତ ଅଭିଯୋଗ କରିଛନ୍ତି । ମିଶନ ଶକ୍ତି ଗୃହ ନିର୍ମାଣ ହେଉଥିବା ସମ୍ପର୍କରେ ଫୋନ ଯୋଗେ ବିଭାଗୀୟ ଯନ୍ତ୍ରୀକୁ ପଚାରିବାରୁ ସେ ଠିକାଦାରକୁ ଜଣାଇଥିଲେ । ଏଥିରେ ଠିକାଦାରର ସହଯୋଗୀ ଉତ୍ତେଜିତ ହୋଇ ଅଜିତକୁ ଧମକ ଦେଇଥିବା ଅଜିତ ଉଲ୍ଲେଖ କରିଛନ୍ତି । ତେବେ ଆଇନଜୀବୀ ଜପେଶ୍ୱର ଯାନି, ପ୍ରୀତିସାଗର ମହାନନ୍ଦ ଓ ବରିଷ୍ଠ ସାମ୍ବାଦିକ ଦୟାନିଧି ସାହୁ ଦୋଷୀ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ରାଜ୍ୟରେ ସାମ୍ୱାଦିକ ସୁରକ୍ଷା ଆଇନ ଲାଗୁ କରିବା ପାଇଁ ଦାବି କରିଛନ୍ତି । ସଇଁନ୍ତଲା ପୁଲିସ ମଧ୍ୟ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି ।