ବକେୟା ଟଙ୍କା ଅସୁଲ କରିବାକୁ ସୁରକ୍ଷା କର୍ମୀଙ୍କୁ ଅପହରଣ

ପଶ୍ଚିମବଙ୍ଗ ମାଲଦାରେ ଅପହର୍ତ୍ତାଙ୍କ ଫୋନ୍ କଲ ଠାବ

ବାରିପଦା, ଏନ୍ଏନ୍ଏସ୍: ବାରିପଦା ସଦର ଥାନା ଅନ୍ତର୍ଗତ ମହୁଲିଆଠାରେ ଥିବା ଏକ ଘରୋଇ ଗଡ୍ରେଜ୍ ତିଆରି କାରଖାନାରେ କାର୍ଯ୍ୟରତ ସୁରକ୍ଷା କର୍ମୀ ଜୟପ୍ରକାଶ ମହାନ୍ତଙ୍କୁ ଅପହରଣ କରି ନିଆଯାଇଥିବା ଅଭିଯୋଗ ହୋଇଛି। ଶନିବାର ବିଳମ୍ବିତ ରାତିରେ ଜୟପ୍ରକାଶଙ୍କୁ ଅପହରଣ କରାଯାଇଥିବା ତାଙ୍କ ପତ୍ନୀ ସଦର ଥାନାରେ ଅଭିଯୋଗ କରିଛନ୍ତି। ଅପହର୍ତ୍ତାମାନେ ଉକ୍ତ ଘରୋଇ ସଂସ୍ଥାରୁ ପ୍ରାୟ ୨୨ଲକ୍ଷ ଟଙ୍କା ବକେୟା ପାଇବାକୁ ଥିବା ଜଣାପଡ଼ିଛି। ଉକ୍ତ ଟଙ୍କା ପାଇବା ଲକ୍ଷ୍ୟରେ ସଂସ୍ଥାର ସୁରକ୍ଷାକର୍ମୀଙ୍କୁ ଅପହରଣ କରାଯାଇଥିବା ପୁଲିସ୍ ସୂତ୍ରରୁ ପ୍ରକାଶ। ତେବେ ଫୋନ୍ ଟ୍ରାକିଂରୁ ଅପହର୍ତ୍ତାମାନେ ପଶ୍ଚିମବଙ୍ଗର ମାଲଦାରେ ଥିବା ଜଣାପଡ଼ିଛି। ଅପହରଣ ପରେ ଜୟପ୍ରକାଶଙ୍କ ଘରକୁ ଫୋନ୍ କରି ଅପହରଣ ସମ୍ପର୍କରେ ସୂଚନା ଦେଇଥିଲେ ଅପହର୍ତ୍ତା। ଏନେଇ ଏକ ସ୍ୱତନ୍ତ୍ର ଟିମ୍ ଉଦ୍ଧାର କାର୍ଯ୍ୟରେ ଲାଗିଥିବା ଜଣାପଡ଼ିଛି। ଅପହରଣ ଅଭିଯୋଗ ପରେ ସଂସ୍ଥାର ମାଲିକ ଥାନାକୁ ଆସିଥିବା ଜଣାପଡ଼ିଛି।