ଅନଲାଇନରେ ଗାଈ ବିକିବା ମହଙ୍ଗା ପଡ଼ିଲା, ଆକାଉଣ୍ଟରୁ ଲକ୍ଷେ ଟଙ୍କା ନେଇଗଲା ସାଇବର ଠକ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଅନଲାଇନରେ ଗାଇ ବିକ୍ରି କରିବାକୁ ବିଜ୍ଞାପନ ଦେଇ ଆଜି ରାଜଧାନୀର ଜଣେ ଯୁବକ ଲକ୍ଷେ ଟଙ୍କା ଠକେଇର ଶିକାର ହୋଇଛନ୍ତି। ୨୦ ହଜାର ଟଙ୍କାରେ ଗାଈ ବିକିବାକୁ ଯୁବକ ଜଣକ ଏକ ଅନଲାଇନ ସାଇଟରେ ବିଜ୍ଞାପନ ଦେଇଥିଲେ। ପରେ ଉକ୍ତ ଗାଈକୁ କିଣିବା ବାହାନାରେ ଯୁବକଙ୍କୁ ଲକ୍ଷେ ଟଙ୍କାର ଠକେଇ କରିଛନ୍ତି ସାଇବର ଠକ। ସ୍କାନ୍ କୋଡ୍ ମାଧ୍ୟରେ ୨୦ ହଜାର ଲେଖାଏଁ ୫ ଥରରେ ଲକ୍ଷେ ଟଙ୍କା ଠକେଇର ଶିକାର ହୋଇଛନ୍ତି ଯୁବକ। ଘଟଣାଟି ଘଟିଛି ରାଜଧାନୀର ଭରତପୁର ଥାନା ଅଞ୍ଚଳରେ। ଠକେଇର ଶିକାର ହୋଇଥିବା ଯୁବକ ଜଣକ ହେଲେ ଦେବାଶିଷ ସାହୁ ।

ଦେବାଶିଷ ଡିଜିଟାଲ ମାର୍କେଟ ପ୍ଲେସ କ୍ରିସଫାଏ ନାମକ ୱେବସାଇଟରେ ଗତ ୧୧ ତାରିଖରେ ଗାଈ ବିକ୍ରି କରିବାକୁ ଏକ ବିଜ୍ଞାପନ ଦେଇଥିଲେ। ସେହିଦିନ ରାତିରେ ଦେବାଶିଷଙ୍କ ପାଖକୁ ଏକ ଅଜଣା ନମ୍ବରରୁ କଲ୍ ଆସିଥିଲା। କଲ୍ କରିଥିବା ବ୍ୟକ୍ତି ନିଜକୁ ମନବିତ୍ ଓ ସେ ଜଣେ ଆର୍ମି ଅଫିସର ବୋଲି ଦେବାଶିଷଙ୍କୁ କହିଥିଲେ। ବିଜ୍ଞାପନରେ ଦିଆଯାଇଥିବା ଗାଈ ତାଙ୍କର ପସନ୍ଦ ହୋଇଥିବ କହିବା ସହ ଗାଈକୁ କିଣିବାକୁ ଚାହୁଁଛନ୍ତି ବୋଲି ଦେବାଶିଷଙ୍କୁ କହିଥିଲେ। ଗାଈର ମୂଲ୍ୟ କେତେ ପଚାରିବାରୁ ଦେବାଶିଷ ୨୦ହଜାର ଟଙ୍କା କହିଥିଲେ। ଏଥିରେ ସାଇବର ଠକ ଜଣକ ରାଜି ହେବା ସହ ୨୦ ହଜାରରୁ ୧୦ ହଜାର ଅନଲାଇନରେ ଦେବେ ଓ ବାକି ଅର୍ଥ ଗାଈ ନେଲାବେଳେ ନଗଦ ଟଙ୍କା ଦେଇ ନେବେ ବୋଲି କହିଥିଲେ। ଦେବାଶିଷ ଏଥିରେ ରାଜି ହୋଇଯାଇଥିଲେ। କଲ୍ କରିଥିବା ବ୍ୟକ୍ତି ଜଣକ ସେନା ଅଧୀନରେ କାର୍ଯ୍ୟ କରୁଥିବାରୁ ତାଙ୍କୁ ଫୋନ୍ ପେ ଆପ୍ ବ୍ୟବହାର କରିବାରୁ ଅନୁମତି ନାହିଁ ବୋଲି କହିଥିଲେ। ପରେ ଏକ କ୍ୟୁଆର ସ୍କାନ୍ କୋଡ୍ ପଠାଇବେ ଯାହାଦ୍ୱାରା ଟଙ୍କା ନେଣଦେଣ ହୋଇପାରିବ ବୋଲି ସେ ଦେବାଶିଷଙ୍କୁ ପରାମର୍ଶ ଦେଇଥିଲେ। ସାଇବର ଠକ ଜଣକ ପ୍ରଥମେ ୫ ଟଙ୍କାର ଏକ କ୍ୟୁଆର କୋର୍ଡ ସ୍କାନ୍ ପାଇଁ ପଠାଇଥିଲେ। ଦେବାଶିଷ ଏହାକୁ ସ୍କାନ୍ କରିବାରୁ ତାଙ୍କ ଆକାଉଣ୍ଟରେ ୫ଟଙ୍କା କ୍ରେଡିଟ୍ ହୋଇଯାଇଥିଲା। ଏହାପରେ ଦେବାଶିଷ ବିଶ୍ୱାସ ଜିତିପାରିଥିଲେ ଠକ। ପରେ ଠକ ଜଣକ ୨୦ହଜାର ଟଙ୍କାର ଆଉ ଏକ ସ୍କାନ୍ କୋଡ୍ ପଠାଇଥିଲେ ବୋଲି କହିଥିଲେ। ଦେବାଶିଷ ଏହାକୁ ସ୍କାନ୍ କରିବା ମାତ୍ରେ ତାଙ୍କ ଆକାଉଣ୍ଟରୁ ୨୦ ହଜାର ଟଙ୍କା କଟିଯାଇଥିଲା। ଦେବାଶିଷ ଟଙ୍କା କଟିଯିବା କଥା ତାଙ୍କୁ କହିବାରୁ ଏହା ଏକ ଟେକ୍ନିକାଲ୍ ତ୍ରୁଟି ହୋଇଥିବ ବୋଲି କହିବା ସହ ଆଉ ଏକ ସ୍କାନ୍ କୋଡ ପଠାଇଥିଲେ। ଏହିପରି ଭାବେ ୫ଥର ସ୍କାନ୍ କୋଡ ପଠାଇ ମୋଟ୍ ଲକ୍ଷେ ଟଙ୍କା କାଟିନେଇଥିଲେ ଉକ୍ତ ଠକ ଜଣକ। ପଣେ ଲୁଟର ଶିକାର ହୋଇଥିବା ଜାଣିପାରି ଯୁବକ ଜଣକ ଭରତପୁର ଥାନାର ଦ୍ୱାରସ୍ଥ ହେବା ସହ ସାଇବର ହେଲ୍ପ ଡେସ୍କରେ ଅଭିଯୋଗ କରିଥିଲେ।