ନବରଙ୍ଗପୁରରେ ଡ଼ିସେମ୍ବର ୧୦ରୁ ମଣ୍ଡିରେ ଖରିଫ ଧାନ ସଂଗ୍ରହ

ନବରଙ୍ଗପୁର,ଏନ୍‌ଏନ୍‌ଏସ୍‌: ନବରଙ୍ଗପୁର ଜିଲ୍ଲାରେ ଆସନ୍ତା ଡିସେମ୍ବର ୧୦ ତାରିଖରୁ ଧାନ ମଣ୍ଡିରେ ଅନଲାଇନରେ ପଞ୍ଜିକୃତ ହୋଇଥିବା ଚାଷୀଙ୍କଠୁ ଧାନ କିଣାଯିବ । ଜିଲ୍ଲାପାଳ ଡା. କମଳ ଲୋଚନ ମିଶ୍ରଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ମିଶନ ଶକ୍ତି ସଭାଗୃହରେ ଅନୁଷ୍ଠିତ ଜିଲ୍ଲାସ୍ତରୀୟ ଖରିଫ୍ ଧାନ ସଂଗ୍ରହ କମିଟି ବୈଠକରେ ଏହା ସ୍ଥିର କରାଯାଇଛି । ଜିଲ୍ଲାରେ ଥିବା ୫୯ଟି ସଂପୃକ୍ତ ଧାନ ସଂଗ୍ରହ କେନ୍ଦ୍ରରେ ଚାଷୀମାନେ ନିଜର ଧାନ ବିକ୍ରୟ କରିପାରିବେ । ଏଥିରେ ୧୩ଟି ଲେମ୍ପ୍‌,୨୫ଟି ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ଓ ୨ଟି ପାଣି ପଞ୍ଚାୟତ ମିଶି ଜିଲ୍ଲା ପାଇଁ ଖରିଫ୍ ୨୦୨୨-୨୩ ବର୍ଷ ପାଇଁ ସରକାରଙ୍କ ଦ୍ୱାରା ଲକ୍ଷ୍ୟ ଧାର୍ଯ୍ୟ ହୋଇଥିବା ୧୫ ଲକ୍ଷ କ୍ୱିଣ୍ଟାଲ ଧାନ ପ୍ରାରମ୍ଭିକ ପର୍ଯ୍ୟାୟରେ ମଣ୍ଡି ମାଧ୍ୟମରେ ଯୋଗ୍ୟ ଚାଷୀଙ୍କଠାରୁ ସଂଗ୍ରହ କରିବେ । ଏହି ସମୟରେ ଚାଷୀଙ୍କୁ ଯେପରି କୌଣସି ଅସୁବିଧା ନହୁଏ ସେଥିପାଇଁ ସଂପୃକ୍ତ ବିଭାଗୀୟ ଅଧିକାରୀମାନେ ଯତ୍ନବାନ୍ ହେବା ପାଇଁ ଜିଲ୍ଲାପାଳ ଡା. ମିଶ୍ର ନିର୍ଦ୍ଦେଶ ଦେଇଛନ୍ତି । ମଣ୍ଡିରେ ଧାନ ସଂଗ୍ରହ ପ୍ରକ୍ରିୟାକୁ ସୁଚାରୁ ରୂପେ ପରିଚାଳନା କରିବା ପାଇଁ ଆବଶ୍ୟକ ଆନୁଷଙ୍ଗିକ ସମସ୍ତ ବ୍ୟବସ୍ଥା କରିବା ସହିତ କୌଣସି ଯୋଗ୍ୟ ଚାଷୀ ଯେପରି ଏଥିରୁ ବଂଚିତ ନ ହୁଅନ୍ତି ସେଥିପ୍ରତି ଧ୍ୟାନ ଦେବାକୁ ବିଧାୟକ ଓ ସାଂସଦଙ୍କ ପ୍ରତିନିଧି ସଂପୃକ୍ତ ବିଭାଗୀୟ ଅଧିକାରୀଙ୍କୁ ପରାମର୍ଶ ଦେଇଛନ୍ତି । ସରକାରଙ୍କ ଦ୍ୱାରା ଧାର୍ଯ୍ୟ ମୁତାବକ ଏଫଏୱି ମାନର ଧାନ କ୍ୱିଣ୍ଟାଲ ପିଛା ୨,୦୪୦ ଟଙ୍କା ରହିଛି । ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ, ଝରିଗାଁ ବିଧାୟକ ପ୍ରକାଶ ଚନ୍ଦ୍ର ମାଝୀ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ମୋତିରାମ ନାୟକ, ସାଂସଦଙ୍କ ପ୍ରତିନିଧି ପ୍ରମୋଦ କୁମାର ପାଢ଼ୀ, ଉପଜିଲ୍ଲାପାଳ ପ୍ରଶାନ୍ତ କୁମାର ରାଉତ, ଜିଲ୍ଲା ଯୋଗାଣ ଅଧିକାରୀ ସଞ୍ଜୀବ କୁମାର ସାହୁ ଓ କୃଷକଙ୍କ ପ୍ରତିନିଧି ଝାଡ଼େଶ୍ୱର ଖାଡ଼ାଙ୍ଗ ପ୍ରମୁଖ ଯୋଗ ଦେଇଥିଲେ । ଶେଷରେ ଉପଜିଲ୍ଲାପାଳ ପ୍ରଶାନ୍ତ କୁମାର ରାଉତ ସମସ୍ତଙ୍କୁ ଧନ୍ୟବାଦ୍ ଦେଇଥିଲେ ।