ବିନା ଅନୁମତିରେ କେରଳ ଯାଇପାରିବନି ସିବିଆଇ

ଥିରୁବନନ୍ତପୁରମ୍, ଏଜେନ୍ସି: ଏଣିକି କେରଳରେ ସିବିଆଇକୁ କୌଣସି ମାମଲା ପଞ୍ଜୀକରଣ କରିବା ପୂର୍ବରୁ ଏହି ଅନୁସନ୍ଧାନକାରୀ ସଂସ୍ଥାକୁ ରାଜ୍ୟ ସରକାରଙ୍କ ଅନୁମତି ନେବାକୁ ପଡିବ। ସିବିଆଇକୁ ଦିଆଯାଇଥିବା ସହମତି ପ୍ରତ୍ୟାହାର କରିବାକୁ କେରଳ ସରକାର ନିଷ୍ପତ୍ତି ନେଇଛନ୍ତି। ପୂର୍ବରୁ ଅଣବିଜେପି ଶାସିତ ରାଜ୍ୟ ପଶ୍ଚିମବଙ୍ଗ, ରାଜସ୍ଥାନ ଏବଂ ମହାରାଷ୍ଟ୍ରରେ ସମ୍ପୃକ୍ତ ସରକାର ସିବିଆଇ ଅନୁସନ୍ଧାନ ସମ୍ପର୍କରେ ଏଭଳି ନିଷ୍ପତ୍ତି ନେଇସାରିଛନ୍ତି। ଏବେ ୪ର୍ଥ ରାଜ୍ୟ ଭାବରେ କେରଳ ଏହି ତାଲିକାରେ ସାମିଲ ହୋଇଛି। ବୁଧବାର ମୁଖ୍ୟମନ୍ତ୍ରୀ ପିନରାୟୀ ବିଜୟନ୍ଙ୍କ ନେତୃତ୍ୱରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଲାଇଫ୍ ମିଶନ ଗୃହ ପ୍ରକଳ୍ପରେ ଅନିୟମିତତା ନେଇ ସିବିଆଇ ନିକଟରେ ମାମଲା ରୁଜୁ କରିଥିଲା। ଅନ୍ୟପକ୍ଷରେ ରାଜ୍ୟ ସରକାରଙ୍କ ଏହି ପଦକ୍ଷେପକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ। ବିରୋଧୀ ଦଳ ନେତା ରମେଶ ଚେନି୍ନଥାଲା ଅଭିଯୋଗ କରିଛନ୍ତି ଯେ ଏହା ଦ୍ୱାରା ଦୁର୍ନୀତି ସମ୍ପର୍କରେ ଲୋକଲୋଚନକୁ ନଆଣିବାକୁ ସରକାର ପ୍ରଚେଷ୍ଟା କରୁଛନ୍ତି। ସୁନା ଚୋରା ଚାଲାଣ ସଂକ୍ରାନ୍ତରେ ମୁଖ୍ୟ ଅଭିଯୁକ୍ତ ସ୍ୱପ୍ନା ସୁରେଶ ଏନ୍ଆଇଏ ଅଦାଲତରେ ଯେଉଁ ବୟାନ ଦେଇଛନ୍ତି ତାହା ରାଜ୍ୟ ସରକାରଙ୍କ ଦୁର୍ନୀତି ଆଡକୁ ଅଙ୍ଗୁଳି ନିର୍ଦ୍ଦେଶ କରୁଛି। ସେହିପରି ଗୃହ ନିର୍ମାଣ ପ୍ରକଳ୍ପରେ ଠିକାଦାର ଚୟନରେ ଅନିୟମିତତା ହୋଇଥିବା ଏବଂ ଏଥିରେ ୨୦ କୋଟି ଟଙ୍କା ଲାଞ୍ଚ ଦିଆଯାଇଥିବା ମଧ୍ୟ ଅଭିଯୋଗ ହୋଇଛି ବୋଲି ରମେଶ କହିଛନ୍ତି।