୪ ଦିନରେ ୫ ଡିଗ୍ରୀ ଖସିବ ପାରଦ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଆସନ୍ତା ୩/୪ ଦିନ ମଧ୍ୟରେ ରାଜ୍ୟରେ ୫ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ହ୍ରାସ ପାଇବ। ଫଳରେ ରାଜ୍ୟର ବିଭିନ୍ନ ସ୍ଥାନରେ ଶୀତ ବଢ଼ିବ। ପ୍ରଥମେ ଉତ୍ତର ପଶ୍ଚିମ ଓଡ଼ିଶାରେ ତାପମାତ୍ରା କମିବାର ଥିବା ବେଳେ ପରେ ଦକ୍ଷୀଣ ଓଡ଼ିଶା ଓ ଅନ୍ୟାନ୍ୟ ଅଞ୍ଚଳରେ ତାପମାତ୍ରା କମିବ। ଏହା ଦା୍ୱରା ରାଜ୍ୟରେ ଅଧିକ ଥଣ୍ଡା ଅନୁଭୂତ ହେବାର ସମ୍ଭାବନା ରହିଛି।
ବାରମ୍ବାର ଲଘୁଚାପ ସୃଷ୍ଟି ହେବା କାରଣରୁ ଚଳିତ ବର୍ଷ ରାଜ୍ୟରୁ ବିଳମ୍ବରେ ମୌସୁମୀ ଅପସାରଣ ହୋଇଛି। ତେଣୁ ଶୀତ ପ୍ରବେଶରେ ମଧ୍ୟ ବିଳମ୍ବ ଘଟଛି। ମାତ୍ର ଆସନ୍ତା ୪୮ ଘଣ୍ଟା ପରେ ଅନେକ ସ୍ଥାନରେ ଶୀତ ଅନୁଭୂତ ହେବ ବୋଲି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକ ଏଚଆର୍ ବିଶ୍ୱାସ କହିଛନ୍ତି ଯେ ରାଜ୍ୟରେ ଆସନ୍ତା ୨୪ଘଣ୍ଟାରେ ସର୍ବନିମ୍ନ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ଘଟିବାର ସମ୍ଭାବନା ନାହିଁ। କିନ୍ତୁ ଆସନ୍ତା ୪୮ଘଣ୍ଟା ପରେ ପାଗ ବଦଳିବ।

ଆସନ୍ତା ୩ରୁ ୪ଦିନ ଭିତରେ ରାଜ୍ୟରେ ସର୍ବନିମ୍ନ ତାପମାତ୍ରା ୪ ରୁ ୫ଡିଗ୍ରୀ ସେଲସିୟସ ପର୍ଯ୍ୟନ୍ତ ହ୍ରାସ ପାଇବ। ଫଳରେ ରଜ୍ୟରେ ଶୀତ ଅନୁଭୂତ ହେବ ବୋଲି ଆକଳନ କରାଯାଇଛି।  ଅନ୍ୟପଟେ ପାଣିପାଗ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ବାଂଲାଦେଶ ଓ ଏହାର ପାର୍ଶ୍ୱବର୍ତ୍ତୀ ଉତ୍ତର ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ରହିଛି। ଏହାର ପ୍ରଭାବରେ ରାଜ୍ୟର କିଛି ଅଞ୍ଚଳରେ ପାଗ ମେଘୁଆ ଥିବା ଲକ୍ଷ୍ୟ କରାଯାଉଛି। ଗୁରୁବାର ଗଜପତି, ଗଞ୍ଜାମ, ରାୟଗଡ଼ା, କୋରାପୁଟ ଓ ମାଲକାନଗିରିର କିଛି ଅଞ୍ଚଳରେ କାଁଭାଁ ବର୍ଷାର ସମ୍ଭାବନା ମଧ୍ୟ ରହିଛି। ଏହା ବ୍ୟତୀତ ରାଜ୍ୟର ଅନ୍ୟାନ୍ୟ ଅଞ୍ଚଳରେ ପାଗ ଶୁଖିଲା ରହିବା ସହ ଆସନ୍ତା ସପ୍ତାହକ ଭିତରେ ରାଜ୍ୟରେ ବର୍ଷାର ସମ୍ଭାବନା ନାହିଁ ବୋଲି କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି।
ଗତ ୨୪ ଘଣ୍ଟା ମଧ୍ୟରେ ସୋନପୁରରେ ରାଜ୍ୟର ସର୍ବନିମ୍ନ ୧୫.୮ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଥିବା ବେଳେ ଅନୁଗୁଳ, କୋରାପୁଟ ଓ ଫୁଲବାଣୀ ରେ ତାପମାତ୍ରା ୧୬ ଡିଗ୍ରୀ ଲେଖାଏଁ ରହିଛି। ଏହି ସହର ଗୁଡ଼ିକ ସହ ରାଜ୍ୟର ମୋଟ ୯ଟି ସହରରେ ପାରଦ ୨୦ ଡିଗ୍ରୀ ତଳେ ରହିଛି।