କୃଷି ତାଲିମ ଶିବିର ଓ ପ୍ରମାଣପତ୍ର ବଣ୍ଟନ

କେନ୍ଦୁପାଟଣା,ଏନ୍ଏନ୍ଏସ୍: ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନାରେ ଏକ ୧୨ ଦିନିଆ ସମୂହ କୃଷି ତାଲିମ ସହିତ ଜୈବିକ କୃଷିର ପ୍ରଶିକ୍ଷଣ ଶିବିର ବରାଦୋ ପଂଚାୟତ ପାଟପୁରଠାରେ ଅନୁଷ୍ଠିତ ହୋଇଛି। ଏହି ଶିବିରରେ ମୋଟ ୪୬ ଜଣ ଚାଷୀଙ୍କୁ ପୂର୍ବ କୌଶଳ ଓ ଅନୁଭବକୁ ମାନ୍ୟତା ପ୍ରଦାନ କରାଯିବା ପାଇଁ ଏକ ପରୀକ୍ଷା କରାଯାଇଛି। ପତଞ୍ଜଳୀ ପକ୍ଷରୁ ପ୍ରଶିକ୍ଷକ ଭାବେ ପ୍ରସନ୍ନ କୁମାର ଦାଶ ଏହି ଶିବିରରେ ସମୂହ କୃଷି କାର୍ଯ୍ୟକଲେ ଚାଷୀମାନେ କିଭଳି ଅଧିକ ଲାଭବାନ ହୋଇପାରିବେ, ଚାଷୀମାନେ ଏକାଠି ହୋଇ ସମୂହ ଚାଷ ଉପରେ ଗୁରୁତ୍ୱ ଦେଲେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଦିଆଯାଉଥିବା କୃଷି ଭିତ୍ତିକ ଯୋଜନା ସଂକ୍ରାନ୍ତରେ ଚାଷୀମାନଙ୍କୁ ଅବଗତ କରାଇଥିଲେ।

ପ୍ରଶିକ୍ଷଣ ପରେ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ଚାଷୀମାନଙ୍କୁ ଆଜି ପ୍ରମାଣପତ୍ର ବଣ୍ଟନ କରାଯାଇଛି। ଟ୍ରେନର ପ୍ରସନ୍ନ କୁମାର ଦାଶଙ୍କ ପୌରୋହିତ୍ୟରେ ଏଥିରେ ମୁଖ୍ୟ ଅତିଥି ଭାବେ ବରାଦୋ ସରପଂଚ ନୃସିଂହ ଚରଣ ବିଶ୍ୱାଳ ଯୋଗଦେଇ ଥିଲେ। ଏହି କାର୍ଯ୍ୟକ୍ରମରେ କୃତୀତ୍ୱ ଅର୍ଜନ କରିଥିବା ଚାଷୀ ରତ୍ନାକର ଦାସ, ଭାବଗ୍ରାହୀ ବେହେରା, ଅକ୍ଷୟ କୁମାର ଦାସ, ସୁକାନ୍ତ ନାୟକ, ପ୍ରମୋଦ ଚୌଧୁରୀ, ବିଷ୍ଣୁ ଚରଣ ବେହେରା, କୈଳାସ ଚନ୍ଦ୍ର ସାମଲ, ଜୀବନାନନ୍ଦ ଦାଶ, ବନମାଳୀ ଦାସ ରବୀନ୍ଦ୍ର ସେଠୀ ପ୍ରମୁଖ ଯୋଗଦେଇ ସେମାନଙ୍କର ପ୍ରମାଣପତ୍ର ଗ୍ରହଣ କରିଥିଲେ। ଯୁବନେତା ପ୍ରଣବ ଦାଶ ଧନ୍ୟବାଦ ଦେଇଥିଲେ।