ପରୀ ଘଟଣାକୁ ନେଇ ମୁଖ୍ୟ ଶାସନ ସଚିବଙ୍କୁ ଭେଟିଲା ବିଜେପି ମହିଳା ମୋର୍ଚ୍ଚା

ଭୁବନେଶ୍ୱର,ଏନ୍ଏନ୍ଏସ୍: ପରୀ ହତ୍ୟା ଘଟଣାର ତଦନ୍ତ ଦିଗହରା ହୋଇଥିବା ଅଭିଯୋଗ କରି ରାଜ୍ୟ ବିଜେପି ମହିଳା ମୋର୍ଚ୍ଚା ସଭାନେତ୍ରୀ ସ୍ମୃତି ପଟ୍ଟନାୟକଙ୍କ ନେତୃତ୍ୱରେ ଏକ ପ୍ରତିନିଧିଦଳ ଗୁରୁବାର ମୁଖ୍ୟ ଶାସନ ସଚିବଙ୍କୁ ଲୋକସେବା ଭବନରେ ଭେଟିଛନ୍ତି। ଏହି ଅବସରରେ ଘଟଣାର ସିବିଆଇ ତଦନ୍ତ ଦାବିକରି ଏକ ସ୍ମାରକପତ୍ର ପ୍ରଦାନ କରିବା ସହ ମନ୍ତ୍ରୀ ଅରଣ ସାହୁ ଏବଂ ଏସ୍ଆଇଟି ମୁଖ୍ୟ ଅରୁଣ ବ୍ରୋଥାଙ୍କ ଭାଇରାଲ ଅଡିଓ ଟେପ୍ ମୁଖ୍ୟ ସଚିବଙ୍କୁ ଦେଇଛି ବିଜେପି ମହିଳା ମୋର୍ଚ୍ଚା।
ଶ୍ରୀମତୀ ପଟ୍ଟନାୟକ ଅଭିଯୋଗ କରିଛନ୍ତି ଯେ ନୟାଗଡ଼ ଜିଲ୍ଲା ଯଦୁପୁର ଗାଁର ପରୀ ହତ୍ୟାକାଣ୍ଡର ତଦନ୍ତ ଏବେ ଦିଗହରା ହୋଇଛି। ଘଟଣାର ତଦନ୍ତ କରୁଥିବା ଏସ୍ଆଇଟି ମୁଖ୍ୟ ଅରୁଣ ବ୍ରୋଥା ସରକାରୀଦଳ ନିର୍ଦ୍ଦେଶରେ ଜଣେ ନିର୍ଦ୍ଦୋଷକୁ ଅପରାଧୀ ସଜାଇଛନ୍ତି। ପରୀର ପରିବାର ଲୋକଙ୍କ ଅଭିଯୋଗ ଅନୁଯାୟୀ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ବାବୁଲି ନାୟକକୁ ପୁଲିସ କିମ୍ବା ଏସ୍ଆଇଟି ତଦନ୍ତ ପରିସରଭୁକ୍ତ କରିନାହିଁ। ତାକୁ ମନ୍ତ୍ରୀ ଅରୁଣ ସାହୁ ସୁରକ୍ଷା ଦେଉଥିବାରୁ ଶାସକ ଦଳ ଚାପରେ ଏସ୍ଆଇଟି ତଦନ୍ତ ନକରି ଏକ ମନଗଢା ଗପ ରାଜ୍ୟବାସୀଙ୍କ ଆଗରେ ରଖିଛି। ମନ୍ତ୍ରୀ ଅରୁଣ ସାହୁ ଯଦୁପୁରର ସରପଞ୍ଚ ସୌମ୍ୟରଞ୍ଜନ ପ୍ରଧାନଙ୍କୁ ଧମକ ଦେଉଥିବାର ଅଡିଓ ଟେପ୍ ପ୍ରମୁଖ ଗଣମାଧ୍ୟମ ଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଏଥିରେ ମନ୍ତ୍ରୀ ପରୀ ହତ୍ୟାକାଣ୍ଡ ତଦନ୍ତକୁ ପ୍ରଭାବିତ କରୁଥିବାର ପ୍ରମାଣ ରହିଥିଲା। ସେହିଭଳି ଅନ୍ୟ ଏକ ଭାଇରାଲ ଅଡିଓ ଟେପ୍ରେ ଏସ୍ଆଇଟି ମୁଖ୍ୟ ଅରୁଣ ବ୍ରୋଥା ରାଜ୍ୟ ସରକାରଙ୍କୁ ଡରୁଛନ୍ତି ବୋଲି କହୁଛନ୍ତି। ଏଭଳି ସ୍ଥିତିରେ ନିରପେକ୍ଷ ତଦନ୍ତ ସମ୍ଭବ ନୁହେଁ। ଏଣୁ କେବଳ ସିବିଆଇ ତଦନ୍ତ କଲେ ହିଁ ପରୀକୁ ନ୍ୟାୟ ମିଳିପାରିବ ବୋଲି ଶ୍ରୀମତୀ ପଟ୍ଟନାୟକ କହିଛନ୍ତି।
ମହିଳା ମୋର୍ଚ୍ଚାର ବହୁ ସଦସ୍ୟା ଲୋକସେବା ଭବନ ଆଗରେ ପହଞ୍ଚିଥିବା ବେଳେ ସେମାନଙ୍କୁ ଅଟକାଇଥିଲା ପୁଲିସ। କେବଳ ୩ଜଣଙ୍କୁ ମୁଖ୍ୟ ସଚିବ ଏବଂ ଗୃହ ସଚିବଙ୍କୁ ଭେଟିବା ଲାଗି ଛଡ଼ାଯିବ ବୋଲି ପୁଲିସ ଜଣାଇଥିଲା। ପରେ ସଭାନେତ୍ରୀ ସ୍ମୃତି ପଟ୍ଟନାୟକ, ପୂର୍ବତନ ମନ୍ତ୍ରୀ ସୁରମା ପାଢୀ ଓ ରାଜ୍ୟ ବିଜେପି ଉପସଭାନେତ୍ରୀ ପ୍ରଭାତି ପରିଡ଼ା ଭିତରକୁ ଯାଇଥିଲେ। ହେଲେ ପରେ ଅନ୍ୟ ସଦସ୍ୟାମାନେ ଭିତରକୁ ଧସେଇ ପଶିବାରୁ ସେମାନଙ୍କୁ ଗିରଫ କରାଯାଇଥିଲା। ଏହି ସମୟରେ ମହିଳା ପୁଲିସ ଏବଂ ବିଜେପି କର୍ମୀଙ୍କ ମଧ୍ୟରେ ଧସ୍ତାଧସ୍ତି, ଟଣାଭିଡ଼ା ଦେଖିବାକୁ ମିଳିଥିଲା।