ବରଗଡ଼,ଏନ୍ଏନ୍ଏସ୍: ବରଗଡ଼ ଜର୍ଜ ହାଇସ୍କୁଲ ପଡ଼ିଆରେ ୭୪ତମ ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଜ୍ୟୋତିରଞ୍ଜନ ପ୍ରଧାନ ମୁଖ୍ୟଅତିିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରି ଜିଲ୍ଳାବାସୀଙ୍କ ଉଦ୍ଦେଶ୍ୟରେ ଅଭିଭାଷଣ ପ୍ରଦାନ କରିଥିଲେ । କୋଭିଡ-୧୯ ସଂକ୍ରମଣକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ସ୍ୱାଧୀନତା ଦିବସରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ମାର୍ଚ୍ଚପାଷ୍ଟ ହୋଇନଥିଲା । ଦୁଇ ପ୍ଲାଟୁନ ପୁଲିସ ଏବଂ ବ୍ୟାଣ୍ଡ ପାର୍ଟି ଜାତୀୟ ପତାକାକୁ ସମ୍ମାନ ପ୍ରଦାନ କରିଥିଲେ। ମୁଖ୍ୟଅତିଥି ଶ୍ରୀ ପ୍ରଧାନ ସହିଦ ସ୍ୱାଧୀନତା ସଂଗ୍ରାମୀଙ୍କ ସ୍ମୃତିଚାରଣ କରିବା ସହିତ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ବରଗଡ଼ ଜିଲ୍ଲାରେ କରୋନା ସଂକ୍ରମଣକୁ ପ୍ରତିହିତ କରିବା ପାଇଁ କାର୍ଯ୍ୟ କରୁଥିବା ପୁଲିସ, ସ୍ୱାସ୍ଥ୍ୟକର୍ମୀ, ଡାକ୍ତର, ସଫେଇ କର୍ମଚାରୀ ଓ ଅନ୍ୟାନ୍ୟ ସମସ୍ତ କୋଭିଡ ଯୋଦ୍ଧାଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ସରପଞ୍ଚମାନଙ୍କର କୋଭିଡ ନିୟନ୍ତ୍ରଣରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ସେମାନଙ୍କୁ ସାଧୁବାଦ ଜଣାଇଥିଲେ । ସର୍ବୋପରି କରୋନା ସଂକ୍ରମଣର ଆଶଙ୍କା ଥିଲେ ତୁରନ୍ତ ଟେଷ୍ଟିଂ ପାଇଁ ଆଗେଇ ଆସି ଜିଲ୍ଲା ପ୍ରଶାସନକୁ ଏହି ମହାମାରୀକୁ ପ୍ରତିହତ କରିବା ପାଇଁ ସହଯୋଗ କରିବାକୁ ଜିଲ୍ଲାପାଳ ଶ୍ରୀ ପ୍ରଧାନ ତାଙ୍କ ବକ୍ତବ୍ୟରେ ଉଲ୍ଲେଖ କରିଥିଲେ । ପରେ ଜିଲ୍ଲାର ଆଗଧାଡ଼ିରେ କାର୍ଯ୍ୟ କରୁଥିବା କରୋନା ଯୋଦ୍ଧା ଏବଂ ପ୍ଲାଜମା ଡୋନର ଭାବରେ କଟାପାଲି ଗ୍ରାମର ରବିନ୍ଦ୍ର ସାହୁ ଓ ଉମେଶ ଦାଶଙ୍କୁ ମୁଖ୍ୟଅତିଥି ଉପଢ଼ୌକନ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ । କାର୍ଯ୍ୟକ୍ରମରେ ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ, ଏସପି ପଦ୍ମିନୀ ସାହୁ , ଏଡିଏମ ମିର୍ଦ୍ଧା ଟପ୍ପୋ , ଉପଜିଲ୍ଳାପାଳ ପ୍ରଭାସ ଚନ୍ଦ୍ର ଡନସେନା, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ କଲ୍ୟାଣୀ ଦାଶଙ୍କ ସହିତ ଅନ୍ୟାନ୍ୟ ଜିଲ୍ଲାସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ ।