ମାଟି ତଳୁ ମଣିଷ ହାଡ଼ କଙ୍କାଳ ଉଦ୍ଧାର ଘଟଣା, ୩ ଗିରଫ

ସଇଁନ୍ତଲା,ଏନ୍‌ଏନ୍‌ଏସ୍‌: ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ଥାନା ଦାବରୀ ଗାଁ ରେଳବାଇ ଜମିରୁ ରାଞ୍ଚି ସକରା ଗାଁର ଲତି ଫୁଲ ଅନସାରୀଙ୍କ କଙ୍କାଳ ଉଦ୍ଧାର ଘଟଣାରେ ପୁଲିସ ୩ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ଝାଡ଼ଖଣ୍ଡର ରାଞ୍ଚି ଜିଲ୍ଲା ସକର ଗାଁର ସାହାନାଜ ଅନସାରି(୨୪), ଏଫରୋଜ ଅନସାରି(୨୧) ଓ ସାହିଦ ଅନସାରି(୨୨) । ଏନେଇ କଣ୍ଟାବାଞ୍ଜି ଏସଡିପିଓ ହୃଷିକେଶ ମେହେର ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।

ସୂଚନାଯୋଗ୍ୟ, ଗତ ୨ ବର୍ଷ ଆଗରୁ ରାଞ୍ଚି ଜିଲ୍ଲାର ସାକ୍ରା ଗାଁରୁ ୭ଜଣ ରେଲୱେର ଅନ୍ୟାନ୍ୟ କାମ କରିବା ପାଇଁ ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ସହରକୁ ଆସିଥିଲେ । ସେଥିମଧ୍ୟରୁ ଲତିଫୁଲ ଅଂସାରୀଙ୍କୁ ୩ଜଣ ହତ୍ୟା କରି ମାଟି ତଳେ ପୋତି ଦେଇଥିଲେ । ପରିବାରର ଅଭିଯୋଗକ୍ରମେ ଗତ ଜାନୁଆରୀ ୩୦ ତାରିଖ କଣ୍ଟାବାଞ୍ଜି ପୁଲିସ ଓ ସାଇଣ୍ଟିଫିକ ଟିମ ପହଞ୍ଚି ଦାବରୀ ଗାଁପାଖ ରେଲୱେ ଜମିରେ ଏକ ଜେସିବି ସାହାଯ୍ୟରେ ମାଟିକୁ ଖୋଳିଥିଲେ । ଲତିଫୁଲ ଅଂସାରୀଙ୍କୁ ହତ୍ୟା ଅଭିଯୋଗରେ ସାମିଲ ଥିବା ୩ଜଣ ହତ୍ୟାକାରୀଙ୍କୁ କଣ୍ଟାବାଞ୍ଜି ପୁଲିସ ଗିରଫ କରିବା ପରେ ଘଟଣାସ୍ଥଳକୁ ନେଇ ସିନ ରିକ୍ରିଏସନ କରିଥିଲା । ଅନ୍ୟପଟେ ୨ଜଣ ଫେରାର ଥିବା ଜଣାପଡ଼ିଛ । କାମ କରିବାକୁ ନେଇ ବିବାଦ ରହିଥିବାରୁ ଏଭଳି ହତ୍ୟାକାଣ୍ଡ ହୋଇଥିବା ସୂଚନା ମିଳିଛି ।