ଆଇପିଏଲ୍‌-୧୫: ଏଲ୍‌ଏସ୍‌ଜିକୁ ହରାଇଲା ଆର୍‌ସିବି

ମୁମ୍ବାଇ,ଏଜେନ୍ସି: ଚଳିତ ଆଇପିଏଲ୍‌ରେ ମଙ୍ଗଳବାର ୩୧ତମ ମ୍ୟାଚ୍ ଖେଳାଯାଇଥିବା ବେଳେ ଏଥିରେ ରୟାଲ୍ ଚାଲେଞ୍ଜର୍ସ ବାଙ୍ଗାଲୋର୍ (ଆର୍‌ସିବି) ୧୮ ରନ୍‌ରେ ବିଜୟୀ ହୋଇଛି । ପ୍ରଥମେ ବ୍ୟାଟିଂ ପାଇ ଆର୍‌ସିବି ୬ ୱିକେଟ୍ ହରାଇ ୧୮୧ ରନ୍ କରିଥିବା ବେଳେ ଜବାବରେ ଲକ୍ଷ୍ନୌ ସୁପର୍ ଜାଏଣ୍ଟ୍‌ସ (ଏଲ୍‌ଏସ୍‌ଜି) ୮ ୱିକେଟ୍ ହରାଇ ୧୬୩ ରନ୍ କରିଥିଲା । ଆର୍‌ସିବି ଅଧିନାୟକ ୯୬ ରନ୍ କରି ଦଳର ବିଜୟରେ ପ୍ରମୁଖ ଭୂମିକା ନେଇଛନ୍ତି ।

ପ୍ରାରମ୍ଭରୁ ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କ ସମେତ ୪ ଜଣ ବ୍ୟାଟ୍ସମ୍ୟାନ୍‌ଙ୍କୁ ହରାଇ ସମସ୍ୟାରେ ପଡ଼ିଥିଲେ ମଧ୍ୟ ଆର୍‌ସିବିକୁ ଏଥିରୁ ଓପନର ଡୁପ୍ଲେସିସ୍ ରକ୍ଷା କରିଥିଲେ । ସେ ଇନିଂସର ବିଂଶତମ ଓଭର୍‌ର ପଞ୍ଚମ ବଲ୍‌ରେ ଆଉଟ୍ ହେବା ପୂର୍ବରୁ ଏଲ୍‌ଏସ୍‌ଜି ସମ୍ମୁଖରେ ଏକ ମୁକାବିଲାମୂଳକ ଲକ୍ଷ୍ୟ ରଖିଥିଲେ । ଦଳୀୟ ସ୍କୋର୍ ୬୨ରେ ପହଞ୍ଚିବା ବେଳକୁ ଓପନର ଅନୁଜ ରାୱତ୍ ୪, କୋହଲି ଶୂନ, ଗ୍ଲେନ୍ ମ୍ୟାକ୍ସୱେଲ୍ ୩ଟି ଚୌକା ଓ ଗୋଟିଏ ଛକା ସହ ୨୩ ଏବଂ ସୂୟାଶ ପ୍ରଭୁଦେଶାଇ ୧୦ ରନ୍ କରି ଆଉଟ୍ ହୋଇଥିଲେ । ତେବେ ଭଲ ଫର୍ମରେ ଥିବା ଶାହବାଜ୍ ଅହମ୍ମଦଙ୍କ ସହ ଡୁପ୍ଲେସିସ୍ ପଞ୍ଚମ ୱିକେଟ୍‌ରେ ୭୦ ରନ୍ ଯୋଡ଼ି ଦଳୀୟ ସ୍କୋର୍‌କୁ ଦୃଢ଼ତା ପ୍ରଦାନ କରିଥିଲେ । ଗୋଟିଏ ଚୌକା ସହ ଶାହବାଜ୍ ୨୬ ରନ୍ କରି ଆଉଟ୍ ହୋଇଥିଲେ ହେଁ ଡୁପ୍ଲେସିସ୍ ଗୋଟିଏ ପଟେ ପାଳିକୁ ସମ୍ଭାଳି ରଖିଥିଲେ । ସେ ଷଷ୍ଠ ୱିକେଟ୍‌ରେ ଦୀନେଶ କାର୍ତ୍ତିକଙ୍କ ସହ ୪୯ ରନ୍ ଯୋଡ଼ିଥିଲେ । ଏହି ଭାଗୀଦାରୀରେ ଡୁପ୍ଲେସିସ୍ ସିଂହଭାଗ ରନ୍ କରିଥିଲେ । କାରଣ କାର୍ତ୍ତିକଙ୍କ ଅବଦାନ ମାତ୍ର ୧୩ ରନ୍‌ର ଥିଲା । ଶେଷରେ ୬୪ଟି ବଲ୍ ଖେଳି ୧୧ଟି ଚୌକା ଓ ୨ଟି ଛକା ମାଧ୍ୟମରେ ୯୬ ରନ୍ କରିଥିବା ସମୟରେ ଡୁପ୍ଲେସିସ୍‌ଙ୍କ ଏହି ଚମତ୍କାର ଇନିଂସ୍‌ରେ ପୂର୍ଣ୍ଣଚ୍ଛେଦ ପଡ଼ିଥିଲା । ଏଲ୍‌ଏସ୍‌ଜି ପକ୍ଷରୁ ଜେସନ୍ ହୋଲ୍‌ଡର୍ ଓ ଦୁଷ୍ମନ୍ତ ଚାମିରା ୨ଟି ଲେଖାଏଁ ୱିକେଟ୍ ନେଇଥିଲେ ।

ବ୍ୟାଟିଂରେ ଦଳ ପକ୍ଷରୁ କୃନାଲ୍ ପାଣ୍ଡ୍ୟା ୨୮ଟି ବଲ୍‌ରେ ୫ଟି ଚୌକା ଓ ୨ଟି ଛକା ସହ ୪୨ ରନ୍ କରିଥିବା ବେଳେ ଅଧିନାୟକ ତଥା ଓପନର ୨୪ଟି ବଲ୍‌ରେ ୩ଟି ଚୌକା ଓ ଗୋଟିଏ ଛକା ଜରିଆରେ ୩୦ ରନ୍ କରିଥିଲେ । ଏହାଛଡ଼ା ମାର୍କସ୍ ଷ୍ଟୋଇନିସ୍ ୧୫ ବଲ୍‌ରେ ୨ଟି ଚୌକା ଓ ଗୋଟିଏ ଛକା ମାଧ୍ୟମରେ ୨୪ ରନ୍‌ର କରି ଯୋଗଦାନ ଦେଇଥିଲେ । ଆର୍‌ସିବି ପକ୍ଷରୁ ଜୋଶ୍ ହେଜଲଉଡ୍ ୪ଟି ଓ ହର୍ଷଲ୍ ପଟେଲ୍ ୨ଟି ୱିକେଟ୍ ନେଇଥିଲେ ।

ସଂକ୍ଷିପ୍ତ ସ୍କୋର୍‌: ରୟାଲ୍ ଚାଲେଞ୍ଜର୍ସ ବାଙ୍ଗାଲୋର୍‌-୧୮୧/୬, ୨୦ ଓଭର୍ (ଫାଫ୍ ଡୁପ୍ଲେସିସ୍‌-୯୬, ଶାହବାଜ୍ ଅହମ୍ମଦ-୨୬, ଜେସନ୍ ହୋଲଡର୍‌-୨୫/୨, ଦୁଷ୍ମନ୍ତ ଚାମିରା-୩୧/୨); ଲକ୍ଷ୍ନୌ ସୁପର୍ ଜାଏଣ୍ଟ୍‌ସ-୧୬୩/୮, ୨୦ ଓଭର୍ (କୃନାଲ୍ ପାଣ୍ଡ୍ୟା-୪୨, ଲୋକେଶ ରାହୁଲ୍‌-୩୦, ଜୋଶ୍ ହେଜଲଉଡ୍‌-୨୫/୪, ହର୍ଷଲ୍ ପଟେଲ୍‌-୪୧/୨) ।