ସଇଁନ୍ତଲା,ଏନ୍ଏନ୍ଏସ୍: ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକ କରମତଲାଠାରେ ଆଜି ୩୩/୧୧ କେଭି ସବଷ୍ଟେସନ ଲୋକାର୍ପିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ଓଡ଼ିଶା ମହିଳା ଶିଶୁ ବିକାଶ ଓ ମିଶନ ଶକ୍ତି ମନ୍ତ୍ରୀ ଟୁକୁନି ସାହୁ ଓ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ଅସିତ କୁମାର ତ୍ରିପାଠୀ ଅତିଥିଭାବେ ଯୋଗଦେଇ ଲୋକାର୍ପିତ କରିଥିଲେ। ଆଗାମୀ ଦିନରେ ପଶ୍ଚିମ ଓଡ଼ିଶାରେ ବିକାଶର ମାନଚିତ୍ର ବଦଳିବ ବୋଲି ଶ୍ରୀଯୁକ୍ତ ତ୍ରିପାଠୀ ପ୍ରକାଶ କରିଥିଲେ। ଅନ୍ୟପଟେ ମନ୍ତ୍ରୀ ଶ୍ରୀମତୀ ସାହୁ ସ୍ଥାନୀୟ ଡେଙ୍ଗ-ଛନଛଡ଼ାକୁ ସଂଯୋଗ କରୁଥିବା ରାସ୍ତା ପାଇଁ ୨୬ କୋଟି ଟଙ୍କାର ରାଜ୍ୟ ସରକାରଙ୍କ ପକ୍ଷରୁ ଟେଣ୍ଡର ହୋଇଥିବା କହିଥିଲେ। ଲୋକ ସମ୍ପର୍କ ସୂଚନା ଅଧିକାରୀ ଜୟେଦବ ପାଣିଗ୍ରାହୀ ସଭା ପରିଚାଳନା କରିଥିବାବେଳେ ବଲାଙ୍ଗିର ଜିଲ୍ଲାପାଳ ଚଞ୍ଚଳ ରାଣା, ଟିଟିଲାଗଡ଼ ଉପଜିଲ୍ଲାପାଳ ମହାଜନ ମେନାଜ ସତ୍ୟବାନ ମଞ୍ଚାସୀନ ଥିଲେ। ଅନ୍ୟମାନଙ୍କ ମଧ୍ୟରେ ସଇଁନ୍ତଳା ବିଡିଓ ଦେବାଶିଷ ସାମଲ, ତହସିଲଦାର ଜଗନ୍ନାଥ ଧରୁଆ, ସ୍ଥାନୀୟ ସରପଞ୍ଚ ହିମାଂଚଳ ବୁଡେକ, ବରିଷ୍ଠ ବିଜେଡି ନେତା ସୁରେନ୍ଦ୍ର ସାହୁ, ମନ୍ତ୍ରୀଙ୍କ ପ୍ରତିନିଧି ଚନ୍ଦ୍ର ବନ୍ଦନ ପୁରୋହିତ, ରାଜେଶ ବେହେରା, ରାଜ କିଶୋର ଡାଙ୍ଗ ଓ ଟୁନୁ ରାଜପଲିଆ ସମେତ ଶତାଧିକ ବିଜେଡି କର୍ମୀମାନେ ଉପସ୍ଥିତ ଥିଲେ।