ନୂଆଦିଲ୍ଲୀ: ବରିଷ୍ଠ କଂଗ୍ରେସ ନେତା କପିଲ ସିବଲ କଂଗ୍ରେସ ପାର୍ଟିକୁ ବଡ଼ ଝଟକା ଦେଇଛନ୍ତି । କପିଲ ସମାଜବାଦୀ ପାର୍ଟିର ସମର୍ଥନରେ ରାଜ୍ୟସଭା ନିର୍ବାଚନ ଲାଗି ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ନାମାଙ୍କନ ପତ୍ର ଦାଖଲ ସମୟରେ ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବ ଓ ପାର୍ଟି ମହାସଚିବ ରାମଗୋପାଳ ଯାଦବଙ୍କ ସମେତ ଅନ୍ୟ ବରିଷ୍ଠ ନେତା ସାମିଲ ଥିଲେ । ବାସ୍ତବରେ କଂଗ୍ରେସ ବିରୋଧରେ ମୋର୍ଚ୍ଚା ଖୋଲିଥିବା କପିଲ ସିବଲଙ୍କୁ ଲାଲୁ ଯାଦବଙ୍କ ପାର୍ଟି ରାଷ୍ଟ୍ରୀୟ ଜନତା ଦଳ ଏବଂ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ମଧ୍ୟ ରାଜ୍ୟସଭା ପଠାଇବାକୁ ପ୍ରସ୍ତୁତ ଥିଲା ବୋଲି ସୂଚନା ମିଳିଛି ।
କପିଲ ସିବଲ ନାମାଙ୍କନ ପତ୍ର ଦାଖଲ ପରେ ଗଣମାଧ୍ୟମକୁ କହିଛନ୍ତି ଯେ, ମୁଁ ମେ’ ୧୬ରେ କଂଗ୍ରେସରୁ ଇସ୍ତଫା ଦେଇଛି । ମୋଦୀ ସରକାରଙ୍କୁ ବିରୋଧ କରିବା ପାଇଁ ବିପକ୍ଷରେ ରହି ମହାମେଣ୍ଟ କରିବାକୁ ଚାହୁଁଛୁ । ୨୦୨୪ ସାଧାରଣ ନିର୍ବାଚନରେ ମୋଦୀ ସରକାରଙ୍କ ତ୍ରୁଟିକୁ ଲୋକଙ୍କ ସମ୍ମୁଖରେ ରଖିବା ପାଇଁ ମୁଁ ଚେଷ୍ଟା କରିବି । ମୋତେ ସମର୍ଥନ କରିଥିବାରୁ ଅଖିଳେଶ ଯାଦବଙ୍କଠାରେ ଆଭାର ବ୍ୟକ୍ତ କରୁଛି ।