କେସିଙ୍ଗା,ଏନ୍ଏନ୍ଏସ୍: ରାଷ୍ଟ୍ରୀୟ ପଛୁଆ ବର୍ଗ ମୋର୍ଚ୍ଚା ମେ’ ୨୫ରେ ଭାରତ ବନ୍ଦ ଡାକରାକୁ ସମର୍ଥନ କରି କେସିଙ୍ଗା ପଛୁଆ ବର୍ଗ ମୋର୍ଚ୍ଚା ଓ ସେଡ୍ୟୁଲ କାଷ୍ଟ ଫେଡରେସନ ଏବଂ ଆଦିବାସୀ ସଂଗଠନ ଦ୍ୱାରା ୬ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଥିଲା । ଫଳରେ କେସିଙ୍ଗା ସହର ଆମ୍ବେଦକର ଛକଠାରେ ଉଭୟ ସଂଗଠନର କର୍ମକର୍ତ୍ତା ଓ ସଦସ୍ୟ ଜାତୀୟ ରାଜପଥ ୨୬କୁ ସକାଳ ୬ଟାରୁ ୧୨ଟା ପର୍ଯ୍ୟନ୍ତ ଅବରୋଧ କରିବାରୁ ଦୂରଦୂରାନ୍ତରୁ ଆସୁଥିବା ସହସ୍ରାଧିକ ଯାତ୍ରୀବାହୀ ବସ ଓ ଯାନବାହନ ରାସ୍ତାର ଦୁଇ ପାଶ୍ୱର୍ରେ ଠିଆ ହୋଇଥିବା ଦେଖିବାକୁ ମିଳିଥିଲା । କେବଳ ଅତିଆବଶ୍ୟକ ବସ୍ତୁ ଥିବା ଗାଡ଼ି, ଆମ୍ବୁଲେନ୍ସ ଓ ସ୍କୁଲ ବସକୁ ଛଡ଼ା ଯାଇଥିଲା । କେନ୍ଦ୍ର ସରକାରଙ୍କ ଦ୍ୱାରା ଓବିସି ଜାତି ଆଧାରରେ ଜନଗଣନା କରାଯିବା, ଇଭିଏମ ଘୋଟାଲା ବନ୍ଦ, ବେସରକାରୀ କ୍ଷେତ୍ରରେ ଓବିସି, ଏସସି ଓ ଏସଟିଙ୍କ ପାଇଁ ସଂରକ୍ଷଣ, ଏମଏସପି ଗ୍ୟାରେଣ୍ଟି ଆଇନ ତିଆରି କରି ଏମଏସପି ପ୍ରଦାନ, ଏନଆରସି, ଏନପିଆର ଓ ସିଏଏ ବନ୍ଦ ଓ ପୁରୁଣା ପେନସନ ସ୍କିମକୁ ପୁନଃ ଲାଗୁ କରିବା ଲାଗି ଆମେ କେନ୍ଦ୍ର ସରକାରଙ୍କଠାରେ ଦାବୀ କରୁଛୁ ବୋଲି ଉକ୍ତ ବନ୍ଦ ପାଳନର ଆବାହକ ତଥା ରାଷ୍ଟ୍ରୀୟ କିଷାନ ମୋର୍ଚ୍ଚା ରାଜ୍ୟ ସଂଯୋଜକ ଲବ କରୁଆ ପ୍ରକାଶ କରିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଲୋକନାଥ ନାଗ, ଦୁଃଖୀରାମ କୁମାର, ଅଞ୍ଜୁ କୁମାର, ବିଷ୍ଣୁ ମଙ୍ଗରାଜ, ସନ୍ତୋଷ ମଙ୍ଗରାଜ, ତ୍ରିନାଥ ନାୟକ, କାହ୍ନା ସ୍ୱର୍ଣ୍ଣ, ସୁଶୀଲ ନାୟକ, ମନୋଜ କୁମାର ଓ ଧରଣୀ ନାୟକଙ୍କ ସମେତ ବହୁ ମାତ୍ରାରେ ପଛୁଆ ବର୍ଗ, ସେଡ୍ୟୁଲ କାଷ୍ଟ ଫେଡରେସନ, ବ୍ରାସ, ଦଳିତ ବର୍ଗ, ଆଦିବାସୀ ସଂଗଠନ କର୍ମକର୍ତ୍ତା ଓ ସଦସ୍ୟମାନେ ସାମିଲ ହୋଇଥିଲେ ।