ଯୋଗଦେବାର ୨ ଘଣ୍ଟା ପରେ ବିଜେପିରୁ ତଡା ଖାଇଲେ କପିଲ ଗୁଜ୍ଜର

ନୂଆଦିଲ୍ଲୀ,ଏଜେନ୍ସି: କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରଣିତ ନାଗରିକ ସଂଶୋଧନ ଆଇନ ଓ ଜାତୀୟ ନାଗରିକ ରେଜିଷ୍ଟ୍ରାରକୁ ବିରୋଧ କରି ଦିଲ୍ଲୀର ସାହିନବାଗ ଅଞ୍ଚଳରେ ଏକାଧିକ ମହିଳା ସଂଗଠନ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶିତ ହୋଇଥିଲା। ସେହି ସମୟରେ ବିକ୍ଷୋଭକାରୀଙ୍କୁ ଘଉଡାଇବା ପାଇଁ କପିଲ ଗୁଜ୍ଜର ନାମକ ଜଣେ ବ୍ୟକ୍ତି ୨୦୨୦ ଫେବୃଆରୀରେ ସାହିନବାଗରେ ଦୁଇ ରାଉଣ୍ଡ ଫାଙ୍କା ଗୁଳିଚାଳନା କରି ଚର୍ଚ୍ଚାକୁ ଆସିଥିଲେ। ତେବେ ଗୁରୁବାର କପିଲ ନେହରୁ ନଗରସ୍ଥିତ ବିଜେପି କାର୍ଯ୍ୟାଳୟରେ ଆୟୋଜିତ ଏକ ଉତ୍ସବ ଜରିଆରେ ନିଜର ଶତାଧିକ ସମର୍ଥକଙ୍କ ସହ ବିଜେପିରେ ଯୋଗଦାନ କରିଥିଲେ। ଉତ୍ସବରେ ଉପସ୍ଥିତ ବରିଷ୍ଠ ବିଜେପି ନେତାମାନେ କପିଲଙ୍କୁ ସ୍ୱାଗତ କରିବା ସହ ତାଙ୍କର ଉପସ୍ଥିତି ଦିଲ୍ଲୀ ବିଜେପିକୁ ଅଧିକ ଶକ୍ତିଶାଳୀ କରିବ ବୋଲି ଆଶାବ୍ୟକ୍ତ କରିଥିଲେ। ତେବେ ସାହିନବାଗ ଘଟଣାରେ ସଂପୃକ୍ତ ଥିବାର ସୂଚନା ମିଳିବାପରେ ବିଜେପି କାର୍ଯ୍ୟାଳୟ ପକ୍ଷରୁ ତାଙ୍କୁ ଦଳରୁ ବହିଷ୍କାର କରାଯାଇଥିଲା। ବିଜେପି ନେତାଙ୍କ ଏତାଦୃଶ କାର୍ଯ୍ୟକୁ ବିରୋଧୀ ଦଳଗୁଡିକ ତୀବ୍ର ସମାଲୋଚନା କରିଛନ୍ତି।