ଆଦିବାସୀ ପରିବାର ପାଇଁ ତରକାରୀ ରାନ୍ଧିଲେ ମମତା

ବୋଲପୁର,ଏଜେନ୍ସି: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବୁଧବାର ବୀରଭୂମ ଜିଲ୍ଲାର ଏକ ଆଦିବାସୀ ଗ୍ରାମକୁ ହଠାତ୍ ପରିଦର୍ଶନ କରିବା ଅବସରରେ ସେଠାରେ ବାସ କରୁଥିବା ଗୋଟିଏ ଆଦିବାସୀ ପରିବାର ପାଇଁ ତରକାରୀ ରାନ୍ଧି ଖୁଆଇଛନ୍ତି। ଅପରପକ୍ଷରେ ଏହା ଦିଦିଙ୍କ ଆଉ ଏକ ଡ୍ରାମା ବୋଲି ବିଜେପି ପକ୍ଷରୁ ଆକ୍ଷେପ କରାଯାଇଛି। ସୂଚନାଯୋଗ୍ୟ ମମତା ଏକ ଦୁଇଦିନିଆ ଗସ୍ତରେ ବୀରଭୂମ ଜିଲ୍ଲାର ବୋଲପୁରକୁ ଯାଇଥିଲେ। ତେବେ କୋଲକାତା ଫେରୁଥିବାବେଳେ ମମତା ହଠାତ୍ ଶାନ୍ତିନିକେତନ ନିକଟରେ ଅବସ୍ଥିତ ସୋନାଝୁଡି ଗ୍ରାମକୁ ପ୍ରବେଶ କରିଥିଲେ। ଏଠାରେ ବାସ କରୁଥିବା ଅଧିକାଂଶ ପରିବାର ଆଦିବାସୀ ସଂପ୍ରଦାୟର। ଏହି ଅବସରରେ ମମତା ସ୍ଥାନୀୟ ଆଦିବାସୀ ମହିଳା ରମା ବାଗଡିଙ୍କ ଘରକୁ ଯାଇ ସେଠାରେ ତରକାରୀ ରାନ୍ଧିଥିଲେ। ଏହାବ୍ୟତୀତ ସେ ପାଖରେ ଏକ ଚା’ ଦୋକାନ କରିଥିବା ବାବୁ ବାଗଡିଙ୍କ ନିକଟକୁ ଯାଇ ଗୋଟେ କପ୍ ଚାହା ପିଇଥିଲେ। ଗ୍ରାମରେ ଥିବା ଆଦିବାସୀ ମନ୍ଦିରକୁ ଯାଇ ପୂଜା ମଧ୍ୟ କରିଥିଲେ।

ଏହି ଅବସରରେ ମମତା ଗ୍ରାମବାସୀଙ୍କ ସମ୍ବୋଧିତ କରି ତାଙ୍କୁ ଏହି ଗ୍ରାମର ଝିଅ ଭାବେ ଗ୍ରହଣ କରିବାକୁ ନିବେଦନ କରିଥିଲେ। ‘ଦୁଆରେ ସରକାର’ ଯୋଜନା ଅନୁଯାୟୀ ସେମାନଙ୍କୁ ସମସ୍ତ ସରକାରୀ ସୁବିଧା ମିଳୁଛି କି ନାହିଁ, ସେ ସମ୍ପର୍କରେ ପଚାରି ବୁଝିଥିଲେ। ଗ୍ରାମର ପ୍ରତ୍ୟେକ ଘରେ ପାଇଖାନା ନିର୍ମାଣ କରିବାକୁ ମମତା ସ୍ଥାନୀୟ ପ୍ରଶାସନିକ ଅଧିକାରୀଙ୍କୁ ନିର୍ଦ୍ଦେଶ ମଧ୍ୟ ଦେଇଥିଲେ। ମମତାଙ୍କ ଏଭଳି ଆକସ୍ମିକ ଆବିର୍ଭାବ ଓ ପ୍ରସ୍ଥାନରେ ଗ୍ରାମବାସୀ ହତଚକିତ ହୋଇପଡିଥିଲେ। ୨୦୨୧ରେ ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ଏହି ପରିପ୍ରେକ୍ଷୀରେ କ୍ଷମତାସୀନ ତୃଣମୂଳ କଂଗ୍ରେସ ଭୋଟରଙ୍କ ସାନ୍ନିଧ୍ୟ ପାଇବାକୁ ସମସ୍ତ ଉଦ୍ୟମ ଜାରି ରଖିଥିବାବେଳେ ବିଜେପି କିନ୍ତୁ ଏହାକୁ ଭିନ୍ନ ଦୃଷ୍ଟିରେ ଗ୍ରହଣ କରିଛି। ଆଗକୁ ନିର୍ବାଚନ ଆସୁଥିବାବେଳେ ଏହା ମମତାଙ୍କ ଆଉ ଏକ ଡ୍ରାମା ବୋଲି ବିଜେପିର ରାଷ୍ଟ୍ରୀୟ ସମ୍ପାଦକ କୈଳାସ ବିଜୟଭର୍ଗିୟା ଆକ୍ଷେପ କରିଛନ୍ତି।