ଧାନ ବିକ୍ରି ନେଇ ଯୋଗାଣ ଅଧିକରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ କଣ୍ଟାପାଲି ଚାଷୀଙ୍କ ଆମରଣ ଅନଶନ

ଦେବଗଡ଼,ଏନ୍ଏନ୍ଏସ୍: କଣ୍ଟାପାଲି ସେବା ସମବାୟ ସମିତିରେ ପଞ୍ଜୀକୃତ ଚାଷୀ ଆଜି ଦେବଗଡ଼ ଜିଲ୍ଲା ଯୋଗାଣ ଅଧିକରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନରେ ବସିଛନ୍ତି। ଲକ୍ଷ ଧାର୍ଯ୍ୟ ନଥିବା ଦର୍ଶାଇ ସେବା ସମବାୟ ସମିତି ପକ୍ଷରୁ ଚାଷୀଙ୍କ ଧାନ ନିର୍ଦ୍ଧାରିତ ତାରିଖ ଥାଇ ମଧ୍ୟ କ୍ରୟ କରୁନଥିବା ପ୍ରତିବାଦରେ ଚାଷୀମାନେ ଏହି ଧାରଣାରେ ବସିଛନ୍ତି। ଆଜି ପୂର୍ବାହ୍ନରେ ଜିଲ୍ଲା କୃଷକ ସଂଘର୍ଷ ସଂଘର ସଭାପତି ସେମହେମ୍ବ୍ରମଙ୍କ ନେତୃତ୍ୱରେ ଚାଷୀମାନେ ଯୋଗାଣ ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାନ ବସ୍ତା ରଖି ଆମରଣ ଅନଶନ ଆରମ୍ଭ କରିଛନ୍ତି।

ମିଳିଥିବା ରିପୋର୍ଟ ମୁତାବିକ, କଣ୍ଟାପାଲି ସେବା ସମବାୟ ସମିତିର ଅନେକ ଚାଷୀ ସମିତି ପକ୍ଷରୁ ପ୍ରଦାନ କରାଯାଇଥିବା ଟୋକନ ପାଇଥିଲେ ମଧ୍ୟ ଗତ ମାସ ୨୬ ତାରିଖ ପରଠୁ ସେମାନଙ୍କଠାରୁ ଧାନ କିଣାଯାଇନଥିଲା। ଗତ ମାସ ୨୬ ତାରିଖ ପରଠାରୁ ଧାନ କିଣା ବନ୍ଦ ଥିବାବେଳେ ଇତିମଧ୍ୟରେ ୭ଟି ଧାର୍ଯ୍ୟ ତାରିଖର କିଣାଯିବାକୁ ଥିବା ପ୍ରାୟ ୧୪ ହଜାର କ୍ୱିଣ୍ଟାଲ ଧାନ ବିକ୍ରି ହୋଇନଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। ଏତଦବ୍ୟତୀତ ଦିଆଯାଇଥିବା ଟୋକନର ସମୟ ଅବଧି ସରିବାକୁ ଥିବାବେଳେ ସେବା ସମବାୟ ସମିତି ଧାନ କିଣିବାକୁ ଅମଙ୍ଗ ହେଉଥିବାରୁ ଉକ୍ତ ଅଞ୍ଚଳର ଚାଷୀମାନେ ପୂର୍ବରୁ ଜିଲ୍ଲା ଯୋଗାଣ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା। ସେଥିପାଇଁ ଆଜିଠୁ ଆମରଣ ଅନଶନ ଆରମ୍ଭ କରିଥିବା ସଂଘର ସମ୍ପାଦକ ଗୁଣନିଧି ବେହେରା ପ୍ରକାଶ କରିଛନ୍ତି।