ନିଜ ଟାଙ୍ଗିଆରେ କଟିଗଲେ ଗୋବିନ୍ଦ

ଫୁଲବାଣୀ,ଖଜୁରିପଡ଼ା,ଏନ୍ଏନ୍ଏସ୍: ନିଜ ଟାଙ୍ଗିଆରେ କଟି ନିଜେ ପ୍ରାଣ ହରାଇଛନ୍ତି ଜଣେ ବ୍ୟକ୍ତି । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ଖଜୁରିପଡା ଥାନା ଗୁଦାରୀ ପଞ୍ଚାୟତ ମଲ୍ଲିକ ସାହିରେ। ଗ୍ରାମର ଗୋବିନ୍ଦ ଚନ୍ଦ୍ର ମଲ୍ଲିକ ଆଜି ସକାଳେ କାଠ ସଂଗ୍ରହ ପାଇଁ ଗାଁ ପାଖ ଜଙ୍ଗଲକୁ ଯାଇଥିଲେ। କାଠ ସଂଗ୍ରହ କରି ଘରକୁ ଫେରିବା ବାଟରେ ସେ ଅସାବଧାନତା ବଶତଃ ଝୁଣ୍ଟି ପଡ଼ିଥିଲେ। ଫଳରେ କାଠ ବୋଝାରେ ଲାଗିଥିବା ଟାଙ୍ଗିଆଟି ତାଙ୍କ ବେକରେ ଲାଗି କଟି ଯାଇଥିଲା। ସେଠାରୁ ସେ କାଠ ତଳେ ପକାଇ ନିଜେ ପିନ୍ଧି ଥିବା ଗାମୁଛାରେ ବେକକୁ ବାନ୍ଧି ଘରକୁ ଫେରିଥିଲେ। ଏହାଦେଖି ତାଙ୍କ ପୁତୁରା ସଙ୍ଗେସଙ୍ଗେ ଫୁଲବାଣୀ ମୁଖ୍ୟ ଡାକ୍ତରଖାନାକୁ ନେଇଥିଲେ। ହେଲେ ଅତ୍ୟଧିକ ରକ୍ତସ୍ରାବ କାରଣରୁ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ଏନେଇ ଖଜୁରିପଡା ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇ ଅଧିକ ତଦନ୍ତ କରାଯାଉଥିବା ତଦନ୍ତ ଅଧିକାରୀ ଏସଆଇ ବିକ୍ରମ ମଲ୍ଲିକ କହିଛନ୍ତି।