ରାଜ୍ୟରେ ଜଣେ ଲେଖାଏଁ ଶିକ୍ଷକଙ୍କ ଦ୍ୱାରା ଚାଲିଛି ୧୧୭୬ ସ୍କୁଲ

ଭୁବନେଶ୍ୱର, ଏନ୍ଏନ୍ଏସ୍: ରାଜ୍ୟରେ ଉଭୟ ପ୍ରାଥମିକ ଓ ଉଚ୍ଚପ୍ରାଥମିକ ଶିକ୍ଷାରେ ଉନ୍ନତି ଲାଗି ରାଜ୍ୟ ସରକାର ଗୁରୁତ୍ୱ ଦେଉଛନ୍ତି। ଭିତ୍ତିଭୂମି ସାଙ୍ଗକୁ ଗୁଣାତ୍ମକ ଶିକ୍ଷା ପ୍ରଦାନ ଉପରେ ନଜର ଦିଆଯାଉଥିବା ବେଳେ ରାଜ୍ୟରେ ଜଣେ ଲେଖାଏଁ ଶିକ୍ଷକଙ୍କ ଦ୍ୱାରା ଗୋଟିଏ ଗୋଟିଏ ସ୍କୁଲ ପରିଚାଳିତ ହେବା ଆଜି ପରିସ୍ଥିତିକୁ ସଙ୍ଗୀନ କରିଛି। ୟୁଡାଇସ୍ ରିପୋର୍ଟ ଅନୁଯାୟୀ ରାଜ୍ୟରେ ୧୧୭୬ଟି ସ୍କୁଲ କେବଳ ଜଣେ ଲେଖାଏଁ ଶିକ୍ଷକଙ୍କ ଦ୍ୱାରା ଚାଲିଛି। ଏଥିରୁ ୧୧୨୨ଟି ପ୍ରାଥମିକ(ପ୍ରଥମରୁ ପଞ୍ଚମ) ଏବଂ ୫୪ଟି ଉଚ୍ଚପ୍ରାଥମିକ(ଷଷ୍ଠରୁ ଅଷ୍ଟମ) ସ୍କୁଲ ରହିଛି। ତେବେ କଳାହାଣ୍ଡିରେ ସର୍ବାଧିକ ୨୭୮ଟି ସ୍କୁଲ କେବଳ ଜଣେ ଲେଖାଏଁ ଶିକ୍ଷକଙ୍କ ଦ୍ୱାରା ଚାଲିଛି। ସେଥିରୁ ୨୭୪ଟି ପ୍ରାଥମିକ ଓ ୪ଟି ଉଚ୍ଚପ୍ରାଥମିକ ସ୍କୁଲ ଅନ୍ତର୍ଗତ। ରାଜ୍ୟରେ ମୋଟ୍ ପ୍ରାଥମିକ ଓ ଉଚ୍ଚପ୍ରାଥମିକ ସ୍କୁଲ ସଂଖ୍ୟା ୫୨ହଜାର ୮୮୯।

ଏଥିରୁ ଉଭୟ ପ୍ରାଥମିକ ଓ ଉଚ୍ଚପ୍ରାଥମିକ ସ୍କୁଲରେ ମୋଟ୍ ୧ଲକ୍ଷ ୯୭ହଜାର ୩୨୬ ଶିକ୍ଷକ ନିଯୁକ୍ତି ପାଇଥିବା ବେଳେ କେବଳ ପ୍ରାଥମିକ ସ୍କୁଲରେ ୧ଲକ୍ଷ ୩୦ହଜାର ୫୧୬ଜଣ ଓ ଉଚ୍ଚପ୍ରାଥମିକ ସ୍କୁଲରେ ୬୬ହଜାର ୮୧୦ ଜଣ ଶିକ୍ଷକ ରହିଛନ୍ତି। ଅପରପକ୍ଷେ ରାଜ୍ୟର ଏପରି ମଧ୍ୟ ସ୍କୁଲ ରହିଛି ଯେଉଁଠି ୨ଜଣ, ୩ଜଣ, ୪ଜଣ ଓ ୫ଜଣ ଲେଖାଏଁ ଶିକ୍ଷକଙ୍କ ଦ୍ୱାରା ପାଠପଢ଼ା ଚାଲିଛି। ଫଳରେ ଏପରି ସମସ୍ୟା ଲାଗି ଆଜି ରାଜ୍ୟରେ ପ୍ରାଥମିକ ଓ ଉଚ୍ଚପ୍ରାଥମିକ ଶିକ୍ଷାର ଗୁଣାବତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।