ମାଓ ଇଲାକାରେ ଗଡିବ ଗାଡି: ୬ କିମି ରାସ୍ତାର ଶିଳାନ୍ୟାସ କଲେ ବିଧାୟକ

କନ୍ଧମାଳ-କଳାହାଣ୍ଡି ମଧ୍ୟରେ ବୃଦ୍ଧି ପାଇବ ବାଣିଜ୍ୟ କାରବାର

ତୁମୁଡ଼ିବନ୍ଧ,ବେଲଘର,ଏନ୍ଏନ୍ଏସ୍: କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ବ୍ଲକ ଝିରିପାଣି ପଞ୍ଚାୟତରେ ବାଲିଗୁଡା ବିଧାୟକଙ୍କ ଦ୍ୱାରା ରାସ୍ତା ନିର୍ମାଣ ପାଇଁ ଆଜି ଶିଳାନ୍ୟାସ ହୋଇଛି । ମାଓ ଅଧ୍ୟୁଷିତ ପଞ୍ଚାୟତ ଭାବେ ପରିଚିତ ଉକ୍ତ ଗ୍ରାମରେ ବିଧାୟକ ପହଞ୍ଚିବା ପରେ ଅଞ୍ଚଳବାସୀ ଆଡ଼ମ୍ବର ସହିତ ସ୍ୱାଗତ କରିଥିଲେ। ବାଲିଗୁଡ଼ା ବିଧାୟକ ଚକ୍ରମଣି କହଁର ଝିରିପାଣି ରୁ କଳାହାଣ୍ଡି ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ପାଇଁ ସୋମବାର ଶୁଭ ଦେଇଛନ୍ତି। ଗ୍ରାମ୍ୟ ଉନ୍ନୟନ ବିଭାଗର ୬କି.ମି ରାସ୍ତାକୁ ୩.୪୪ କୋଟି ଟଙ୍କାରେ  ନିର୍ମାଣ କରାଯିବ ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

 ଶୀଘ୍ର କାର୍ଯ୍ୟ ଆରମ୍ଭ ହେବ ବୋଲି ଗ୍ରାମ ଉନ୍ନୟନ ବିଭାଗର ର୍ନିବାହୀ ଯନ୍ତ୍ରୀ ଏସ୍ . ସୁବ୍ରମନ୍ୟୁ କହିଥିବାବେଳେ ଝିରିପାଣି ପଞ୍ଚାୟତ ଏବଂ ତୁମୁଡ଼ିବନ୍ଧ ଅଞ୍ଚଳବାସୀ କଳାହାଣ୍ଡି ଝିରିପାଣି ରାସ୍ତା ନିର୍ମାଣ ପାଇଁ ତୁମୁଡ଼ିବନ୍ଧ ବ୍ଲକ୍ ବିଜେଡି ସଭାପତି ତଥା ସାଂସଦ ପ୍ରତିନିଧି ପ୍ରମୋଦ ସାହୁଙ୍କ ନିକଟରେ ଦାବି କରିଛନ୍ତି। ଏହି କାର୍ଯ୍ୟକ୍ରମରେ ବିଧାୟକଙ୍କ ସମେତ ତୁମୁଡ଼ିବନ୍ଧ ପଂଚାୟତ ସମିତି ଅଧ୍ୟକ୍ଷ ପ୍ରକାସ ଚନ୍ଦ୍ର ପାତ୍ର, ତୁମୁଡ଼ିବନ୍ଧ ବିଧାୟକ ପ୍ରତିନିଧି ଶ୍ୟାମଶୁନ୍ଦର ବଡ଼ସେଠ୍, କୁନା ଦଣ୍ଡସେନା, ତୁମୁଡ଼ିବନ୍ଧ ପଞ୍ଚାୟତ ସଭାପତି ଯିଶାୟ ମଣ୍ଡଳ, ଗଙ୍ଗା ମିଶ୍ର, ଅମିୟ ପରାସେଠ, ରୁଧିର ଦିଗାଲ, ଝିରିପାଣି ପଞ୍ଚାୟତର କିଶୋର ମାଝୀଙ୍କ ସମେତ ବହୁ ଅଞ୍ଚଳବାସୀ ଉପସ୍ଥିତ ଥିଲେ।