ଫୁଲବାଣୀ,ଦାରିଙ୍ଗବାଡ଼ି,ଏନ୍ଏନ୍ଏସ୍: କନ୍ଧମାଳ ଜିଲ୍ଲାର ସମସ୍ତ ୧୭୮ଜଣ କରୋନା ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଥିବାବେଳେ ପଡ଼ୋଶୀ ଗଞ୍ଜାମ ଓ ଗଜପତି ଜିଲ୍ଲାରେ ସଂକ୍ରମଣ ଦିନକୁଦିନ ବୃଦ୍ଧି ପାଉଛି। ଆଉ ଏହାକୁ ଦୃଷ୍ଟିରେ ରଖି ଜୁଲାଇ ମାସର ପ୍ରତ୍ୟେକ ସପ୍ତାହର ଶନି ଓ ରବିବାର କନ୍ଧମାଳ ଜିଲ୍ଲାକୁ ଜିଲ୍ଲାପାଳ ଡା. ବୃନ୍ଦା ଡି ସଟଡାଉନ୍ ଘୋଷଣା କରିଛନ୍ତି। ଆଉ ଏହାର ପ୍ରଭାବ ଆଜି ଜିଲ୍ଲାରେ ଦେଖିବାକୁ ମିଳିଛି। ଶନିବାର ସକାଳୁ ସଟଡାଉନ୍ ଲାଗି ଜିଲ୍ଲାର ସମସ୍ତ ରାସ୍ତାଘାଟ ଜନଶୂନ୍ୟ ହୋଇଥିବାବେଳେ ଔଷଧ ଦୋକାନକୁ ଛାଡ଼ିଦେଲେ ଅନ୍ୟ ସମସ୍ତ ଦୋକାନ ବଜାର ବନ୍ଦ ରହିଛି। କନ୍ଧମାଳ ଆରକ୍ଷୀ ଅଧିକ୍ଷକ ପ୍ରତୀକ ଗୀତା ସିଂଙ୍କ ନିର୍ଦ୍ଦେଶରେ ଜିଲ୍ଲାର ସମସ୍ତ ଥାନା ଅଞ୍ଚଳରେ ପୁଲିସ ଫୋର୍ସ ମୁତୟନ କରାଯାଇଛି। ସେହିପରି ଦାରିଙ୍ଗବାଡ଼ି ଥାନା ଅଧିକାରୀ କୌଶିକ ମାଝୀଙ୍କ ତତ୍ୱାବଧାନରେ ଦାରିଙ୍ଗବାଡ଼ିର ବିଭିନ୍ନ ସ୍ଥାନରେ ପୁଲିସଫୋର୍ସ ମୁତୟନ କରାଯାଇଛି। ସିମନବାଡ଼ି, କିରୀକୁଟି, ଶ୍ରକ୍ଷନିକେତା ପର୍ତ୍ତମାହା ଆଦି ଥାନା ଅଧୀନରେ ଥିବା ଗ୍ରାମଗୁଡ଼ିକରେ ପୁଲିସ ତରଫରୁ ପେଟ୍ରୋଲିଂ କଡ଼ାକଡ଼ି କରାଯାଇଛି। ପୁଲିସ ପକ୍ଷରୁ ବିଭିନ୍ନ ଛକ ନିକଟରେ ଯାନବାହନ ଯାଞ୍ଚ କରାଯାଉଛି । ସଟଡାଉନ ସମୟରେ ଅତ୍ୟାବଶ୍ୟକ କାମ ନଥିଲେ ଘରୁ ନ ବାହାରି ପ୍ରଶାସନକୁ ସହଯୋଗ କରିବା ପାଇଁ ଥାନା ଅଧିକାରୀ ଶ୍ରୀ ମାଝୀ ଅଞ୍ଚଳବାସୀଙ୍କୁ ନିବେଦନ କରିଛନ୍ତି ।