ନବରଙ୍ଗପୁର,ଏନ୍ଏନ୍ଏସ୍: ନବରଙ୍ଗପୁର ଜିଲ୍ଲାରେ ପ୍ରଥମ ସାପ୍ତାହିକ ସଟଡାଉନର ଆଜି ହେଉଛି ପ୍ରଥମ ଦିନ। କରୋନା ଭୟବହତା ତଥା ସଂକ୍ରମଣକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ଡା. ଅଜିତ କୁମାର ମିଶ୍ର ପୂର୍ବରୁ ସପ୍ତାହର ଦୁଇ ଦିନ ସଟଡାଉନ ଘୋଷଣା କରିଥିଲେ। ରାଜ୍ୟ ସରକାରଙ୍କ ନିୟମାନୁଯାୟୀ ଯେଉଁ ଜିଲ୍ଲାରେ ୫୦ରୁ କମ୍ ସଂକ୍ରମିତ ଚିହ୍ନଟ ହୋଇଥିବେ ତାହା ଜୋନ୍-୨ରେ ରହିବ। ଆଉ ନବରଙ୍ଗପୁରରେ ୪୨ଟି ପଜିଟିଭ ଚିହ୍ନଟ ହୋଇଥିବାବେଳେ ୧୬ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବାରୁ ଏଠାରେ କରୋନା ସ୍ଥିତି ସମ୍ପୂର୍ଣ୍ଣ ନିୟନ୍ତ୍ରଣାଧୀନ ରହିଛି। ଜିଲ୍ଲାରେ କେବଳ ଜରୁରୀକାଳୀନ ସେବାକୁ ଛାଡ଼ିଦେଲେ ଅନ୍ୟସବୁ ବନ୍ଦ ରହିଛି। ସହରଠାରୁ ଗ୍ରାମାଞ୍ଚଳ ପର୍ଯ୍ୟନ୍ତ ରାସ୍ତାଘାଟ ଖାଁ ଖାଁ ଲାଗୁଛି। ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ନିତିନ କୁଶଲକରଙ୍କ ନିର୍ଦ୍ଦେଶରେ ଜିଲ୍ଲାର ସମସ୍ତ ଥାନା ଅଞ୍ଚଳରେ ବ୍ୟାପକ ପୁଲିସ ମୁତୟନ କରାଯାଇ ସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖାଯାଇଛି। ନବରଙ୍ଗପୁରର ବରିଷ୍ଠ ଥାନାଧିକାରୀ ତାରେକ ଅହମ୍ମଦଙ୍କ ନେତୃତ୍ୱରେ ସହରର ଛକମାନଙ୍କରେ ଯାନବାହନ ଯାଞ୍ଚ କରାଯାଉଥିବା ଦେଖିବାକୁ ମିଳିଛି।