କନ୍ଧମାଳ ଜିଲ୍ଲାପାଳଙ୍କ ଦାରିଙ୍ଗବାଡ଼ି ଗସ୍ତ: ବିଭିନ୍ନ ପର୍ଯ୍ୟଟନ ସ୍ଥଳୀ ବୁଲି ପିଲାଙ୍କୁ ପଢ଼ାଇଲେ ପାଠ

ବାଲିଗୁଡା,ଏନ୍‌ଏନ୍‌ଏସ୍‌: କନ୍ଧମାଳ ଜିଲ୍ଲାପାଳ ଡା. ଆଶିଷ ଈଶ୍ୱର ପାଟିଲ ଆଜି ଦାରିଙ୍ଗବାଡ଼ି ଗସ୍ତ କରି ପର୍ଯ୍ୟଟନ ସ୍ଥଳୀ ବୁଲିବା ସହ ବିଭିନ୍ନ କାର୍ଯ୍ୟର ସମୀକ୍ଷା କରିଛନ୍ତି । ଏହି ଅବସରରେ ଜିଲ୍ଲାପାଳ ପ୍ରଥମେ ଇକୋ ରିଟ୍ରିଟ କାର୍ଯ୍ୟର ଅଗ୍ରଗତି ବିଷୟରେ ସମୀକ୍ଷା କରିଥିଲେ । କଫି ବଗିଚା ପାଖରେ ରହିଥିବା ୨ ହେକ୍ଟର ଜମିରେ ନୂତନ ଭାବେ ଆରମ୍ଭ ହୋଇଥିବା କଫି ରୋପଣ କାର୍ଯ୍ୟରେ ଯୋଗ ଦେଇଥିଲେ । ଏହାସହ ଉକ୍ତ କାର୍ଯ୍ୟ ଓ କଫି ବଗିଚା ଭିତରେ ନୂତନ କଫି କେଫେ କାର୍ଯ୍ୟର ତଦାରଖ କରିଥିଲେ । ସେହିପରି ଡୁଲୁରି ପର୍ଯ୍ୟଟନ ସ୍ଥଳୀ ଓ ଦାରିଙ୍ଗବାଡ଼ିର ମିଡିୟୁବାନ୍ଦା ଜଳପ୍ରପାତ ବୁଲିଥିଲେ । ମିଡିୟୁବାନ୍ଦା ଜଳପ୍ରପାତରେ ପର୍ଯ୍ୟଟନଙ୍କ ପାଇଁ ଆବଶ୍ୟକ ରହିଥିବା ବିଶ୍ରାମଗାର, ଶୌଚାଳୟ, ରାସ୍ତା ଓ ମୁଖ୍ୟ ଫାଟକ ଭଳି ଅନେକ ଉନ୍ନୟନମୂଳକ କାର୍ଯ୍ୟ କରିବା ନିମନ୍ତେ ଦାରିଙ୍ଗବାଡ଼ି ସମିତି ସଭ୍ୟା ପ୍ରମିଳା ପ୍ରଧାନ ଜିଲ୍ଲାପାଳଙ୍କୁ ଜଣାଇଥିଲେ । ପରେ ଜିଲ୍ଲାପାଳ ଦାରିଙ୍ଗବାଡ଼ିର କାଣ୍ଡାପା ପ୍ରାଥମିକ ବିଦ୍ୟାଳୟ ପହଞ୍ଚିଥିଲେ । ସେଠାରେ ଶିକ୍ଷା ଅଙ୍କୁର କାର୍ଯ୍ୟକ୍ରମରେ ପହଞ୍ଚି ପିଲାଙ୍କୁ ପାଠ ପଢ଼ାଇବା ସହ ବିଭିନ୍ନ ପ୍ରଶ୍ନ ପଚାରିଥିଲେ । ଜିଲ୍ଲାପାଳଙ୍କ ଗସ୍ତ ସମୟରେ ଦାରିଙ୍ଗବାଡ଼ି ବ୍ଲକ ଅଧକ୍ଷ ସୁଶାନ୍ତ ପ୍ରଧାନ, ବିଡିଓ ଗଦାଧର ପାତ୍ର, ତହସିଲଦାର ଡା. ଅଶୋକ କୁମାର ଦାସ, ଜଳଛାୟା ପ୍ରକଳ୍ପ ନିର୍ଦ୍ଦେଶକ ପ୍ରଶାନ୍ତ କୁମାର ତ୍ରିପାଠୀ, ସହକାରୀ ଜଳଛାୟା ପ୍ରକଳ୍ପ ନିର୍ଦ୍ଦେଶକ ରମାକାନ୍ତ ପରିଡ଼ା, ଦାରିଙ୍ଗବାଡ଼ି ପିଆଇଏ ହୃଷୀକେଶ ପ୍ରଧାନ, ମୃତ୍ତିକା ସଂରକ୍ଷଣ ସଂପ୍ରସାରଣ କର୍ମଚାରୀ ଅନନ୍ତ ଜେନା ଓ ପୂର୍ତ୍ତ ବିଭାଗ ଏସଡିଓ ବ୍ରଜମୋହନ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ । ଥାନାଧିକାରୀ କୌଶିକ ମାଝୀ ଉପସ୍ଥିତ ରହି ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିଥିଲେ ।