ଓରମାସ ସିଇଓ ପୁନମ ଗୁହାଙ୍କ ଦ୍ୱାରା ନବରଙ୍ଗୀ ବଜାର ଉଦଘାଟିତ

ନବରଙ୍ଗପୁର,ଏନ୍‌ଏନ୍‌ଏସ୍‌: ଓରମାସ ସିଇଓ ପୁନମ ଗୁହା ନବରଙ୍ଗପୁର ଜିଲ୍ଲା ଗସ୍ତରେ ଆସି ବ୍ଲକ ଛକରେ ନବରଙ୍ଗୀ ଗ୍ରାମୀଣ କୃଷକ ଅର୍ଥନୀତି ଉତ୍ପାଦକ ନବରଙ୍ଗୀ ବଜାର ଆଉଟଲେଟକୁ ଉଦଘାଟନ କରିଛନ୍ତି । ପରେ ସ୍ଥାନୀୟ ମିଶନ ଶକ୍ତି ସମ୍ମିଳନୀ କକ୍ଷରେ ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ଯୋଜନା ଗୁଡ଼ିକର ସମୀକ୍ଷା କରିଛନ୍ତି । ରାଜ୍ୟ ସରକାରଙ୍କ ଦ୍ୱାରା ପରିଚାଳିତ ଓରମାସ, ମିଶନ ଶକ୍ତି ଓ ଜୀବିକା ମିଶନର ମିଳିତ ସହଯୋଗରେ ସ୍ଥାନୀୟ ସ୍ୱୟଂ ସହାୟିକା ଗୋଷ୍ଠୀର ସଦସ୍ୟାମାନେ ଆତ୍ମନିର୍ଭରଶୀଳ ହୋଇପାରିଛନ୍ତି । ଉକ୍ତ କେନ୍ଦ୍ରରେ ମହିଳାଙ୍କ ଦ୍ୱାରା ଉତ୍ପାଦ ମଣ୍ଡିଆ ମିକ୍ସଚର, ଲେମନ ଗ୍ରାସ ତେଲ, ଛତୁଆ, ମହୁ, ମକା ଡାଲି, ମକା ସୁଜି, ସୁଆଁ, ମକାର ଅଟା, ଡଙ୍ଗରାଣି ଓ ବିଭିନ୍ନ ହସ୍ତଶିଳ୍ପ ଆଦି ବହୁ ପ୍ରକାର ସାମଗ୍ରୀ ବିକ୍ରିବଟା କରାଯିବ । ଏହା ସକାଳ ୯ଟାରୁ ୧ଟା ୩୦ମି ଓ ଅପରାହ୍ନ ୩ଟା ୩୦ରୁ ୭ଟା ୩୦ ପର୍ଯ୍ୟନ୍ତ ଖୋଲା ରହିବ । ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଡା. କମଳ ଲୋଚନ ମିଶ୍ର, ଜିଲ୍ଲା ପରିଷଦ ସିଇଓ ରତ୍ନାକର ସାହୁ, ଜିଲ୍ଲା ପରିଷଦ ଅତିରିକ୍ତ ସିଇଓ ଦେବି ପ୍ରସାଦ ଟାଲି, ଡିଆଇପିଆରଓ ହଳଧର ନିଆଳ, ନବରଙ୍ଗୀ ସିଇଓ ଏ ଧନୁର୍ଜୟ ନାଇଡୁ ଓ ବୋର୍ଡ ନିର୍ଦ୍ଦେଶକ ଆରତୀ ସମାଦାର ପ୍ରମୁଖ ଉପସ୍ଥିତ ଥିଲେ । ପରେ ଶ୍ରୀ ଗୁହା ଓରମାସ ଦ୍ୱାରା ପରିଚାଳିତ ଦିନ ଦୟାଲ ଉପାଧ୍ୟାୟ ଗ୍ରାମୀଣ କୌଶଳ ଯୋଜନା ତାଲିମ କେନ୍ଦ୍ର ପରିଦର୍ଶନ କରିଛନ୍ତି ।