ନିତିଦିନ ପ୍ରଭାବ: ମରାମତି ହେଲା ବିପଦସଙ୍କୁଳ ପୋଲ

ଫୁଲବାଣୀ,ଫିରିଙ୍ଗିଆ,ଏନ୍ଏନ୍ଏସ୍:  ମାଷ୍ଟରପଡ଼ା ଛକଠାରୁ ନୂଆପଡ଼ା ପର୍ଯ୍ୟନ୍ତ ରାସ୍ତା ୫ ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ କରାଗଲା। ଏଥିସହିତ ବିପଦସଂକୁଳ ଅବସ୍ଥାରେ ଥିବା ପୋଲ ମଧ୍ୟ ନିର୍ମାଣ କରାଯାଇଛି। ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ଦ୍ୱାରା ଏହା ନିର୍ମାଣ କରାଯାଇଛି। କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଫିରିଙ୍ଗିଆ ପଞ୍ଚାୟତର ଭେଣ୍ଡ୍ରାପାଲି ଅଞ୍ଚଳରୁ ନୂଆପଡ଼ା ଗାଁକୁ ସଂଯୋଗ କରଥିବା ରାସ୍ତା ମଝିରେ ଏକ ବିପଦସଙ୍କୁଳ ପୋଲ ରହିଥିଲା। ଫଳରେ ଗ୍ରାମବାସୀଙ୍କ ସହିତ ଛାତ୍ରଛାତ୍ରୀମାନେ ଯିବାଆସିବାରେ ଅସୁବିଧା ସମ୍ମୁଖୀନ ହେଉଥିଲେ।

ପୋଲଟିକୁ ମରାମତି କରିବା ପାଇଁ ଗ୍ରାମବାସୀ ପଞ୍ଚାୟତ ଠାରୁ ଆରମ୍ଭ କରି ବ୍ଲକ କାର୍ଯ୍ୟାଳୟ ଏବଂ ବିଭାଗୀୟ ଅଧିକାରୀଙ୍କ ନିକଟରେ ଜଣାଇଥିଲେ ସୁଦ୍ଧା  କୌଣସି ପଦକ୍ଷେପ ଗ୍ରହଣ କରାଯାଇନଥିଲା। ଏନେଇ ଗତ ୨୦୧୯ ନଭେମ୍ବର ୨ ତାରିଖରେ ଦୈନିକ ନିତିଦିନ ଖବର କାଗଜରେ ଖବର ପ୍ରକାଶ ପାଇଥିଲା। ଖବର ପ୍ରକାଶ ହେବାପରେ କେତେକ ସଚେତନ ନାଗରିକ ଖବର କାଗଜର କ୍ଲିପିଂ ସହିତ ମୁଖ୍ୟମନ୍ତ୍ରୀ ନିକଟରେ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଏହାକୁ ଗୁରୁତ୍ୱର ସହିତ ଗ୍ରହଣ କରି କନ୍ଧମାଳ ଜିଲ୍ଲାପାଳଙ୍କ ନିକଟକୁ ଏହି ଘଟଣାର ତଦନ୍ତ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ମୁତାବକ ଘଟଣାର ତଦନ୍ତ କରାଯାଇଥିଲା। ତଦନ୍ତ ରିପୋର୍ଟ ଦେବାପରେ ବର୍ତ୍ତମାନ ସେହି ବିପଦସଙ୍କୁଳ ଅବସ୍ଥାରେ ଥିବା ପୋଲର ମରାମତି କରାଯାଇଛି। ପୋଲର ମରାମତି କରାଯିବା ଦ୍ୱାରା ବର୍ତ୍ତମାନ ଅଞ୍ଚଳବାସୀ ସୁବିଧାରେ ଯାତାୟାତ କରିପାରୁଛନ୍ତି ବୋଲି ବିଡିଓ ରଶ୍ମିରଞ୍ଜନ ମହନ୍ତ କହିଛନ୍ତି।