ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଜିଲ୍ଲା ବିଜେପି ପକ୍ଷରୁ ଆଜି ଝାରସୁଗୁଡା ବିଧାନସଭା ସ୍ତରୀୟ ଜନ ସମ୍ବାଦ ରାଲି ଅନୁଷ୍ଠିତ ହୋଇଛି। ଏଥିରେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଓ ବରଗଡ଼ ସାଂସଦ ସୁରେଶ ପୂଜାରୀ ଉଦବୋଧନ ଦେବାସହ ଦେଶର ବିକାଶରେ ବିଜେପି ସରକାରର ଭୂମିକା ଓ ଝାରସୁଗୁଡ଼ାର ବିକାଶ ପାଇଁ କାର୍ଯ୍ୟକାରୀ କରାଯାଇଥିବା ଯୋଜନା ବିଷୟରେ ଅବଗତ କରାଇଥିଲେ। ଏହି ଅବସରରେ ଜିଲ୍ଲା ବିଜେପି ସଭାପତି ମଙ୍ଗଳ ସାହୁ, ରାଜ୍ୟ ବିଜେପି ସମ୍ପାଦକ ଟଙ୍କଧର ତ୍ରୀପାଠି, ରାଜ୍ୟ ସ୍ଥାୟୀ ଆମନ୍ତ୍ରିତ ସଦସ୍ୟ ଦିନେଶ ଜେନ, ବିଜେପି ଯୁବ ମୋର୍ଚ୍ଚା ରାଜ୍ୟ ସମ୍ପାଦକ ବିଶ୍ୱଜିତ ଷଡ଼ଙ୍ଗୀ, ଭାରତୀୟ ଜନତା ଯୁବମୋର୍ଚ୍ଚା ଜିଲ୍ଲା ଉପସଭାପତି ମୁରାରୀ ସିଂ, ଶ୍ଲୋକ ସରନ ପ୍ରମୁଖଙ୍କ ସହ ଜିଲ୍ଲା ବିଜେପିର ସଦସ୍ୟମାନେ ଉପସ୍ଥିତ ଥିଲେ।
ଏହି ଜନ ସମ୍ବାଦ ରାଲି ମାଧ୍ୟମରେ ଶାହ ବିଜେପି ଶାସନ ଅମଳରେ ଓଡିଶାକୁ ମିଳିଥିବା କେନ୍ଦ୍ରର ଅନୁଦାନ ଓ ଓଡିଶାର ବିକାଶ ପାଇଁ କେନ୍ଦ୍ରର ପ୍ରଚେଷ୍ଟା ବିଷୟରେ ଆଲୋଚନା କରାଯାଇଥିଲା। ଏହାସହ ସିଏଏ, ଟ୍ରିପଲ ତଲାକ, ଧାରା ୩୭୦, ବିଭିନ୍ନ ବାତ୍ୟା ସମୟରେ ଓଡିଶାକୁ ମିଳିଥିବା ସହାୟତା, କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନାରେ ଓଡିଶାବାସୀଙ୍କୁ ମିଳୁଥିବା ଲାଭ ବିଷୟରେ ଆଲୋଚନା କରାଯାଇଥିଲା ବୋଲି ଜିଲ୍ଲା ସଭାପତି ମଙ୍ଗଳ ସାହୁ କହିଛନ୍ତି।