ଡିଏସପିଙ୍କ ସମେତ ୬ ପୁଲିସ କର୍ମଚାରୀ କରୋନା ପଜିଟିଭ

କଟକ,ଏନ୍ଏନ୍ଏସ୍: କଟକ ଜିଲ୍ଲାର ବଡ଼ମ୍ବା ଥାନା ଆଇଆଇସି କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ଏହି ଅଞ୍ଚଳରୁ ଆଜି ପୁଣି ୬ ଜଣ ପୁଲିସ କର୍ମଚାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ଆଠଗଡ଼ର ଡିଏସପି ରହିଥିବା ଆଠଗଡ଼ ଉପଖଣ୍ଡ ଚିକିତ୍ସା ଅଧିକାରୀ ଡ.ବିଜୟ କୁମାର ମିଶ୍ର ସୂଚନା ଦେଇଛନ୍ତି। ସେ କହିଛନ୍ତି, ନୂଆ ଚିହ୍ନଟ ୬ ଜଣ ପୁଲିସ କର୍ମଚାରୀଙ୍କ ସମେତ ମୋଟ ୭ ଜଣ କରୋନା ଯୋଦ୍ଧା ଆକ୍ରାନ୍ତ ହୋଇସାରିଛନ୍ତି। ବଡମ୍ବା ଥାନା ଆଇଆଇସି କରୋନା ପଜିଟିଭ ଚିହ୍ନଟ ହେବାପରେ ବଡମ୍ବାସ୍ଥିତ ମୋହନ ସୁବୁଦ୍ଧି ବିଦ୍ୟାପୀଠରେ ତାଙ୍କ ସଂସ୍ପର୍ଶରେ ଆସିଥିବା ପ୍ରାୟ ୫୦ ଜଣ ବ୍ୟକ୍ତିଙ୍କର ସ୍ୱାବ ନମୁନା ଗତକାଲି ସଂଗ୍ରହ ହୋଇଥିଲା। ନମୁନା ପରୀକ୍ଷା ରିପୋର୍ଟ ଆସିବା ପରେ ମୋଟ ୬ ଜଣ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏସଡିଏମଓ ଡ. ବିଜୟ କୁମାର ମିଶ୍ରଙ୍କ ସୂଚନା ଅନୁସାରେ ବଡ଼ମ୍ବା ଥାନାର ଜଣେ ଏଆଇସି, ୪ ଜଣ କର୍ମଚାରୀ ଓ ଆଠଗଡ଼ ଡିଏସପି କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।