କେସିଙ୍ଗା: କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ଅଧିନସ୍ଥ ଚାଞ୍ଚେର ଗ୍ରାମପଞ୍ଚାୟତ ଠାରେ କଳାହାଣ୍ଡି ଦିବ୍ୟାଙ୍ଗ ମଞ୍ଚ ତରଫରୁ ଭିନ୍ନକ୍ଷମ ଅଧିନିୟମ ୨୦୧୬ ଉପରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଦିଲ୍ଲୀରୁ ସ୍ଵେଚ୍ଛାସେବୀ ଅନୁଷ୍ଠାନ ସାଇଟସେଭରର ବିଶିଷ୍ଟ ସାମାଜିକ କର୍ମୀ ପ୍ରସନ୍ନ କୁମାର, ଭୁବନେଶ୍ୱରରୁ ଶିବ ପ୍ରସାଦ ବେହେରା, ସ୍ଥାନୀୟ ସରପଞ୍ଚ ଅଞ୍ଜୁ କୁମାର, କଳାହାଣ୍ଡି ଦିବ୍ୟାଙ୍ଗ ମଞ୍ଚର ସଭାପତି ତଥା ଜିଲ୍ଲା ପରିଷଦ ସଭ୍ୟ ସୁରେଶ ଚୌଧୁରୀ ଅତିଥି ଭାବେ ଯୋଗଦେଇ ଦିବ୍ୟାଙ୍ଗ ମାନଙ୍କ ପାଇଁ ସରକାର ବିଭିନ୍ନ ଯୋଜନା ଉପରେ ଆଲୋଚନା କରିଥିଲେ। ଏହି ଅବସରରେ ମଞ୍ଚ ତରଫରୁ ସଭ୍ୟ ସଂଗ୍ରହ ଅଭିଯାନ କରାଯାଇଥିଲା। ଜିଲ୍ଲାର ପ୍ରତ୍ୟେକ ଗାଁରୁ ଦିବ୍ୟାଙ୍ଗ ଭାଇଭଉଣୀ କଳାହାଣ୍ଡି ଦିବ୍ୟାଙ୍ଗ ମଞ୍ଚରେ ସାମିଲ ହୋଇ ସଂଗଠନକୁ ସୁଦୃଢ ନିମନ୍ତେ ଆହ୍ବାନ କରାଯାଇଛି। ଅନ୍ୟମାନଙ୍କ ମଧ୍ୟରେ ଚାଞ୍ଚେର ଗ୍ରାମପଞ୍ଚାୟତର ନାଏବ ସରପଞ୍ଚ, ସମସ୍ତ ୱାର୍ଡ ସଭ୍ୟସଭ୍ୟା ପଞ୍ଚାୟତ କର୍ମଚାରୀ ଏବଂ ଜିଲ୍ଲାର ବିଭିନ୍ନ ବ୍ଲକ୍ରୁ ପ୍ରାୟ ୮୦ ଦିବ୍ୟାଙ୍ଗ ଭାଇ ଭଉଣୀ ଯୋଗଦାନ କରିଥିଲେ।