ରାହୁଲ ଗାନ୍ଧୀଙ୍କୁ ସୁପ୍ରିମକୋର୍ଟରୁ ଆଶ୍ୱସ୍ତି

ନୂଆଦିଲ୍ଲୀ: ମୋଦୀ ସରନେମ ମାମଲାରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ସୁପ୍ରିମକୋର୍ଟରୁ ବଡ଼ ଆଶ୍ୱସ୍ତି ମିଳିଛି । ସୁପ୍ରିମକୋର୍ଟ ଉକ୍ତ ମାମଲାର ଶୁଣାଣୀ କରି ରାହୁଲଙ୍କ ସଜା ଉପରେ ରୋକ ଲଗାଇଛନ୍ତି । ଉକ୍ତ ମାମଲାର ଶୁଣାଣୀ ଜଷ୍ଟିସ ବୀଆର ଗବଈଙ୍କ ଅଧ୍ୟକ୍ଷତାଯୁକ୍ତ ପୀଠ କରିଛି । ଜଜ୍ କହିଛନ୍ତି ଯେ, ସେସନ କୋର୍ଟର ଚୂଡ଼ାନ୍ତ ଶୁଣାଣୀ ଲମ୍ବିତ ହେବା ଯୋଗୁ ସଜା ଉପରେ ରୋକ ଲଗାଯାଇଛି ।

କୋର୍ଟରେ ରାହୁଲଙ୍କ ଓକିଲ ଅଭିଷେକ ମନୁ ସିଂଘବୀ କହିଛନ୍ତି ଯେ, ଅଭିଯୋଗକାରୀଙ୍କ ମୂଳ ସରନେମ୍ ହିଁ ମୋଦୀ ନୁହେଁ । ତାଙ୍କ ମୂଳ ସରନେମ ହେଉଛି ଭୂତାଲା । ଏମିତିରେ ରାହୁଲଙ୍କ ବିରୋଧରେ କେମିତି ମାମଲା ହୋଇପାରିବ । ରାହୁୁଲ ଯାହାଙ୍କ ନାଁ ନେଇଛନ୍ତି ସେମାନେ ମାମଲା ଦାୟର କରିନାହାନ୍ତି । ଏମାନେ କହୁଛନ୍ତି ମୋଦୀ ସରନେମଯୁକ୍ତ ୧୩ କୋଟି ଲୋକ ରହିଛନ୍ତି । କିନ୍ତୁ ଦେଖିବାକୁ ଗଲେ ସମସ୍ୟା କେବଳ ବିଜେପି ସହ ଜଡ଼ିତ ଲୋକଙ୍କୁ ହେଉଛି ।

ସୁପ୍ରିମକୋର୍ଟରୁ ରାହୁଲଙ୍କୁ ଆଶ୍ୱସ୍ତି ମିଳିବା ପରେ କଂଗ୍ରେସ ପକ୍ଷରୁ କୁହାଯାଇଛି ଯେ, ଏହା ହେଉଛି ଘୃଣା ବିରୋଧରେ ଭଲ ପାଇବାର ବିଜୟ । ସତ୍ୟମେବ ଜୟତେ-ଜୟ ହିନ୍ଦ ।