ଦିଲ୍ଲୀ ସେବା ବିଲ୍ ଲୋକସଭାରେ ପାରିତ

ନୂଆଦିଲ୍ଲୀ: ଦିଲ୍ଲୀ ସେବା ବିଲ୍ ବିରୋଧୀଙ୍କ ହଙ୍ଗାମା ମଧ୍ୟରେ ଲୋକସଭାରେ ପାରିତ ହୋଇଛି । ରାଜ୍ୟସଭାରେ ଏବେ ଏହି ବିଲକୁ ଆଗତ କରାଯିବ । ଲୋକସଭାରେ ବିଲ ସମ୍ବନ୍ଧରେ ଚର୍ଚ୍ଚା ସମୟରେ ଗୃହମନ୍ତ୍ରୀ ଅମିତ ଶାହ ଦିଲ୍ଲୀ ସରକାର ଏବଂ ମେଣ୍ଟକୁ ଟାର୍ଗେଟ କରିଛନ୍ତି ।

ଗୃହମନ୍ତ୍ରୀ ଶାହ କହିଛନ୍ତି ଯେ, ଦିଲ୍ଲୀରେ ଟ୍ରାନ୍ସଫର ଓ ପୋଷ୍ଟିଂର କୌଣସି ମାମଲା ନାହିଁ । କିନ୍ତୁ ଏହି ବାହାନାରେ ଭିଜିଲାନ୍ସ ବିଭାଗକୁ ନିଜ ଅଧୀନରେ କରିବାର ଯୋଜନା ରହିଛି । ଫଳରେ ସେମାନଙ୍କ ଦୁର୍ନୀତିକୁ ସର୍ବସମ୍ମୁଖରେ ଅଣାଯାଇ ପାରିବନି । ବର୍ତ୍ତମାନ ସମୟରେ ଯେଉଁ ପାର୍ଟି ଦିଲ୍ଲୀ ସରକାରଙ୍କ ସହ ଛିଡ଼ା ହୋଇଛି ସେମାନେ ଭ୍ରଷ୍ଟାଚାରୀଙ୍କୁ ସମର୍ଥନ କରୁଛନ୍ତି ବୋଲି ମୁଁ ସ୍ପଷ୍ଟ କରୁଛି । କିନ୍ତୁ ଜନତା ସବୁ ଦେଖୁଛନ୍ତି । ମୁଁ ସବୁ ପାର୍ଟିକୁ କହିବାକୁ ଚାହିଁବି କି ଆପଣ ଦିଲ୍ଲୀ କଥା ଚିନ୍ତା କରନ୍ତୁ ନିଜ ମେଣ୍ଟ ବିଷୟରେ ଭାବନ୍ତୁନି । କାରଣ ଆପଣମାନେ କିଛି ବି ମେଣ୍ଟ କରି ନାଁ ପରିର୍ତ୍ତନ କଲେ ମଧ୍ୟ ନରେନ୍ଦ୍ର ମୋଦୀ ପୁଣିଥରେ ପ୍ରଧାନମନ୍ତ୍ରୀ ହେବେ । ଏହା ଜନତା ପୂର୍ବରୁ ସ୍ଥିର କରିସାରିଛନ୍ତି ।