ଜଷ୍ଟିସ୍ ଏସ୍. ମୁରଲୀଧର୍ ଓଡ଼ିଶା ହାଇକୋର୍ଟ ମୁଖ୍ୟ ବିଚାରପତି

କଟକ,ଏନ୍ଏନ୍ଏସ୍: ପଞ୍ଜାବ ଓ ହରିୟାଣା ହାଇକୋର୍ଟର ବିଚାରପତି ଜଷ୍ଟିସ୍ ଏସ୍ ମୁରଲୀଧରଙ୍କୁ ଓଡ଼ିଶା ହାଇକୋର୍ଟର ନୂତନ ମୁଖ୍ୟ ବିଚାରପତି ଭାବେ ଗୁରୁବାର ନିଯୁକ୍ତି ମିଳିଛି। ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଜଷ୍ଟିସ୍ ମୁରଲୀଧର୍ଙ୍କୁ ରାଷ୍ଟ୍ରପତି ନିଯୁକ୍ତି ପ୍ରଦାନ କରିଛନ୍ତି। ଏନେଇ କେନ୍ଦ୍ର ସରକାରଙ୍କ ଆଇନ ଓ ନ୍ୟାୟ ମନ୍ତ୍ରଣାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛ। ଜଷ୍ଟିସ୍ ମୁରଲୀଧରଙ୍କୁ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ନିଯୁକ୍ତି ଦେବା ନିମନ୍ତେ ନିକଟରେ ସୁପ୍ରିମକୋର୍ଟ କଲେଜିୟମ୍ ତାଙ୍କ ନାମ ସୁପାରିସ କରିଥିଲା।

ଏଥିସହିତ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ ମହମ୍ମଦ୍ ରଫିକଙ୍କୁ ମଧ୍ୟପ୍ରଦେଶ ହାଇକୋର୍ଟକୁ ମୁଖ୍ୟ ବିଚାରପତି ଭାବେ ବଦଳି କରାଯାଇଛି। ଜଷ୍ଟିସ୍ ମୁରଲୀଧର୍ ୧୯୬୧ ମସିହା ଅଗଷ୍ଟ ୮ତାରିଖରେ ଜନ୍ମଗ୍ରହଣ କରିଥିଲେ। ଆଇନ ପାଠ୍ୟକ୍ରମ ଶେଷପରେ ସେ ୧୯୮୪ରେ ଓକିଲାତି ଆରମ୍ଭ କରିଥିଲେ। ୧୯୮୭ରେ ଦିଲ୍ଲୀ ହାଇକୋର୍ଟ ଓ ପରେ ସୁପ୍ରିମକୋର୍ଟରେ ଆଇନପେସାରେ ଯୋଗଦେଇଥିଲେ। ସୁପ୍ରିମକୋର୍ଟ ଆଇନସେବା କମିଟିରେ ଅନେକ ମାମଲା ପରିଚାଳନା କରିଥିଲେ। ସେ ବହୁଚର୍ଚ୍ଚିତ ନର୍ମଦା ଡ୍ୟାମ୍ ବିସ୍ଥାପତିଙ୍କ ସମସ୍ୟା ସମ୍ପର୍କରେ ସୁପ୍ରିମକୋର୍ଟରେ ମାମଲା ପରିଚାଳନା କରିଥିବାବେଳେ ଭୋପାଳ ଗ୍ୟାସ୍ ପୀଡ଼ିତଙ୍କ ମାମଲା ମଧ୍ୟ ପରିଚାଳନା କରିଥିଲେ। ସେହିପରି ୨୦୦୨ ମସିହାରେ ଭାରତୀୟ ନିର୍ବାଚନ ଆୟୁକ୍ତଙ୍କ ପକ୍ଷରୁ ମଧ୍ୟ ମାମଲା ପରିଚାଳନା କରୁଥିଲେ। ସେଲ କମିଶନରେ ଅସ୍ଥାୟୀ ସଦସ୍ୟ ଥିଲେ। ଅନ୍ୟପକ୍ଷରେ ସର୍ବୋଚ୍ଚ ଅଦାଲତରେ ବିଭିନ୍ନ ମାମଲା ପରିଚାଳନା ନିମନ୍ତେ ଆମିକସକ୍ୟୁରୀ ଭାବେ ତାଙ୍କୁ ନିଯୁକ୍ତି ମିଳିଥିଲା।