ଆଜିଠୁ ବାଇକ ଆରୋହୀଙ୍କ ପାଇଁ ବଢ଼ିଲା ଅଡ଼ୁଆ, ପଛରେ ବସିଥିବା ବ୍ୟକ୍ତିଙ୍କ ପାଇଁ ହେଲମେଟ ବାଧ୍ୟତାମୂଳକ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଆଜିଠୁ ବାଇକ ଚାଳକଙ୍କ ପାଇଁ ବଢ଼ିଛି ଅଡ଼ୁଆ। ଡବଲ ହେଲମେଟ ଚେକିଂ ପ୍ରକ୍ରିୟା ରାଜ୍ୟରେ ଆଜିଠୁ ଲାଗୁ ହୋଇଛି। ପଛରେ ବସିଥିବା ବ୍ୟକ୍ତି ହେଲମେଟ ପିନ୍ଧି ନଥିଲେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଯଦି କୌଣସି ବାଇକ ଚାଳକଙ୍କ ହେଲମେଟ ନଥାଏ ତେବେ ଚେକିଂ ସମୟରେ ଗାଡିର ଅନ୍ୟ ସବୁ କାଗଜପତ୍ରକୁ ମଧ୍ୟ ଯାଞ୍ଚ କରାଯିବ।

ସୁପ୍ରିମକୋର୍ଟଙ୍କ ରୋଡ ସେଫ୍ଟି କମିଟିଙ୍କ ପୂର୍ବ ନିର୍ଦ୍ଦେଶ ଅନୁଯାୟୀ, ରାଜ୍ୟରେ ଦୁର୍ଘଟଣା ଜନିତ ମୃତ୍ୟୁ ରୋକିବା ପାଇଁ ଏଭଳି ନିଷ୍ପତ୍ତି ନିଆଯାଇଛି। ବାଇକ ଚାଳକ ଏବଂ ପଛରେ ବସିଥିବା ବ୍ୟକ୍ତି ହେଲମେଟ ପିନ୍ଧିବା ଦ୍ୱାରା ହିଁ ରାଜ୍ୟରେ ଦୁର୍ଘଟଣା ହାର କମିବ।

ଦୁଇ ଚକିଆ ଯାନରେ ଦୁର୍ଘଟଣା ହେବା ଆଶଙ୍କା ଅଧିକ ରହିଛି। ହେଲମେଟ ନ ପିନ୍ଧି, ମଦ ପିଇ ଦ୍ରୁତ ଗତିରେ ଗାଡି ଚଳାଇବା ଦ୍ୱାରା ଅଧିକାଂଶ ଦୁର୍ଘଟଣା ହେଉଛି। ଏହାକୁ କମାଇବା ପାଇଁ ନୂଆବର୍ଷର ପ୍ରଥମ ଦିନରୁ ହିିଁ ଏହି ନିୟମକୁ କାର୍ଯ୍ୟକାରୀ କରାଯାଉଛି। ଏହି ପରିପ୍ରେକ୍ଷୀରେ ଯଦି କୌଣସି ବ୍ୟକ୍ତି ନିୟମର ଉଲ୍ଲଂଘନ କରନ୍ତି, ତେବେ ୩ ମାସ ପାଇଁ ତାଙ୍କ ଲାଇସେନ୍ସ ରଦ୍ଧ କରାଯିବା ସହିତ ୧ ହଜାର ଟଙ୍କା ଜୋରିମାନା ଦେବାକୁ ପଡ଼ିବ ବୋଲି କୁହାଯାଇଛି।