ମହାପ୍ରୟାଣ ଗାଡ଼ି ନଥିବାରୁ ୯ଘଣ୍ଟା ପଡ଼ି ରହିଲା ଶିଶୁର ମୃତଦେହ

କୋରାପୁଟ,ଏନ୍ଏନ୍ଏସ୍: କୋରାପୁଟ ସହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲରେ ମହାପ୍ରୟାଣ ଗାଡ଼ି ନଥିବାରୁ ଜଣେ ୨ମାସ ଶିଶୁର ମୃତଦେହ ହସ୍ପିଟାଲ୍ ପରିସରରେ ୯ଘଣ୍ଟା ପଡ଼ି ରହିଥିଲା। ଖବର ପାଇ କୋରାପୁଟର କେତେକ ଯୁବ ସମାଜସେବୀ ହସ୍ପିଟାଲରେ ପହଞ୍ଚି ମେଡିକାଲ କର୍ତୃପକ୍ଷଙ୍କ ସହ ଆଲୋଚନା କରି ମହାପ୍ରୟାଣ ଗାଡ଼ି ବ୍ୟବସ୍ଥା କରିବା ପରେ ମୃତଦେହ ଗାଂକୁ ପଠାଇଥିଲେ। ରାୟଗଡ଼ା ଜିଲ୍ଲା ଗୁଡ଼ାରୀ ବ୍ଲକ୍ ଅନ୍ତର୍ଗତ ବଡ଼ଘରଟା ଗ୍ରାମର ମହିମା କିରଟିଙ୍କ ୨ ମାସର ଶିଶୁ ପୁତ୍ରର ଦେହ ଅସୁସ୍ଥ ହେବାରୁ ତାକୁ ରାୟଗଡ଼ା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଅବସ୍ଥା ଗୁରୁତର ହେବାରୁ ଶନିବାର ସହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ଭୋରରେ ଶିଶୁଟିର ମୃତ୍ୟୁ ହୋଇଥିଲା। ୨ମାସ ଶିଶୁ ପୁତ୍ରର ମୃତଦେହକୁ କିପରି ଗାଁକୁ ନେବେ ତାହା ଚିନ୍ତା କରି ମା’ ଓ ଜେଜେମା ଅନ୍ତଃ ବିଭାଗରେ ବସି ରହିଥିବାବେଳେ ଅନ୍ୟ ରୋଗୀଙ୍କ ସମ୍ପର୍କୀୟ ଓ ହସ୍ପିଟାଲର ଠିକା କର୍ମଚାରୀମାନେ ସହାୟତା କରିବା ପାଇଁ ଅଗେଇ ଆସିଥିଲେ। ହେଲେ ମୃତଦେହ ନେବାକୁ ମହାପ୍ରୟାଣ ଗାଡ଼ି ବ୍ୟବସ୍ଥା ହୋଇପାରୁ ନଥିବାରୁ ସ୍ଥାନୀୟ କିଛି ବ୍ୟକ୍ତି ଯୁବ ସ୍ୱେଛାସେବୀ ରାଜେଶ ଯାଦବ ଓ ଅନ୍ୟମାନଙ୍କୁ ଖବର ଦେଇଥିଲେ। ଯୁବ ସମାଜସେବୀ ଦଳ ହସ୍ପିଟାଲରେ କର୍ତୃପକ୍ଷଙ୍କ ସହ ଆଲୋଚନା କରି ମହାପ୍ରୟାଣ ଗାଡ଼ିରେ ପଠାଇବା ପାଇଁ ଅନୁରୋଧ କରିବା ପରେ ଗାଡ଼ି ଯୋଗାଇ ଦିଆଯାଇଥିଲା।