ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଜଙ୍ଗଲ ଜଗୁଆଳି ମୃତ

ରିଆମାଳ,ଏନ୍ଏନ୍ଏସ୍: ରିଆମାଳ ଥାନା ଅନ୍ତର୍ଗତ ଶ୍ୟାମପାଲି ଗ୍ରାମର ଜଙ୍ଗଲ ସୁରକ୍ଷା ଜଗୁଆଳି ପ୍ରଦୀପ ପ୍ରଧାନ(୩୮) ଗତକାଲି ଟିକିରା ନଦୀ ନିକଟସ୍ଥ ଜଙ୍ଗଲକୁ ଯାଇଥିବା ବେଳେ କିଛି ଦୁର୍ବୃତ୍ତ ଶିକାରୀ ଜଙ୍ଗଲ ଜନ୍ତୁଙ୍କୁ ମାରିବା ପାଇଁ ବିଦ୍ୟୁତ୍ ତାର ବିଛାଇ ଥିଲେ। ପ୍ରଦୀପ ଅଜାଣତରେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଯାଇଥିଲେ। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା।

ବିଳମ୍ବିତ ସମୟ ପର୍ଯ୍ୟନ୍ତ ପ୍ରଦୀପ ଘରକୁ ନ ଫେରିବାରୁ ଗ୍ରାମ ଲୋକମାନେ ଏକତ୍ରିତ ହୋଇ ଖୋଜା ଖୋଜି କରିଥିଲେ। ରାତ୍ରି ପାଖାପାଖି ୧୨ଟା ସମୟରେ ପ୍ରଦୀପର ମର ଶରୀରକୁ ଗ୍ରାମବାସୀ ଜଙ୍ଗଲ ଭିତରେ ଦେଖିବାକୁ ପାଇଥିଲେ। ପରେ ପୁଲିସକୁ ଖବର ଦିଆଯାଇଥିଲା।

ଅନ୍ୟପଟେ ମୃତ ପ୍ରଦୀପର କକା ରସାନନ୍ଦ ପ୍ରଧାନ ପ୍ରକାଶ କରିଛନ୍ତି ଯେ, ମୋ ପୁଅ ନିରଞ୍ଜନ ପ୍ରଧାନ ପାଇଁ ମୋ ପୁତୁରା ମୃତ୍ୟୁ ବରଣ କରିଛି। ନିରଞ୍ଜନ ବିଦ୍ୟୁତ ତାର ଟାଣି ପଶୁ ଶିକାର କରିଥାଏ। ସେ ଜଙ୍ଗଲରେ ବିଦ୍ୟୁତ ତାର ଟାଣି ଥିବାରୁ ପ୍ରଦୀପର ମୃତ୍ୟୁ ହୋଇଥିବା ରସାନନ୍ଦ ପ୍ରକାଶ କରିଛନ୍ତି। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତ ଦେହ ଜବତ କରିବା ସହ ତଦନ୍ତ ପ୍ରକ୍ରିୟା ଆରମ୍ଭ କରିଛି।