ବିଷ୍ଣୁ ସେଠୀଙ୍କ ଏକାଦଶାହ, ଯୋଗଦେଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନଡ୍ଡା

ଭଦ୍ରକ,ଏନ୍ଏନ୍ଏସ୍: ଧାମନଗରର ଦିବଙ୍ଗତ ବିଧାୟକ ବିଷ୍ଣୁ ସେଠୀ ଏକାଦଶାହ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ଜେପି ନଡ୍ଡା ତିହିଡି କାଳିପଡିଆ ସ୍ଥିତ ହେଲିପ୍ୟାଡ଼ରେ ଓହ୍ଲାଇ ମଙ୍ଗରାଜପୁର ସ୍ଥିତ ଦିବଙ୍ଗତ ବିଧାୟକ ବିଷ୍ଣୁ ସେଠୀଙ୍କ ଘରକୁ ଯାଇ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ।

ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ସହିତ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଦିବଙ୍ଗତ ନେତାଙ୍କ ପରିବାର ଲୋକଙ୍କୁ ଭେଟି ସମବେଦନା ଜଣାଇଛନ୍ତି । ତିହିଡି କଲେଜ ପଡିଆରେ ଆୟୋଜିତ ଶ୍ରଦ୍ଧାଞ୍ଜଳି ସଭାରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଯୋଗ ଦେଇ ବିଷ୍ଣୁ ସେଠୀଙ୍କ ନିଧନ କେବଳ ରାଜନୀତି କ୍ଷେତ୍ରରେ ନୁହେଁ ସମସ୍ତ ବର୍ଗର ଅପୂରଣୀୟ କ୍ଷତି ଘଟିଥିବା ସେ କହିଛନ୍ତି। ରାଜନୀତିରେ ବିଚକ୍ଷଣ ନେତା ଓ ଗରିବ ଖଟିଖିଆଙ୍କ ନେତା ଥିଲେ ବିଷ୍ଣୁ ସେଠୀ । ଏଭଳି ଅସମୟରେ ଆମକୁ ଛାଡି ଚାଲିଯିବେ କେବେ ବିଶ୍ବାସ କରିପାରୁନାହୁଁ ବୋଲି ସେ କହିଛନ୍ତି ।

ଏଭଳି ଦୁଃଖଦ ସମୟରେ ତାଙ୍କ ପରିବାରକୁ ଭଗବାନ ଧୈର୍ଯ୍ୟ ଦିଅନ୍ତୁ ବୋଲି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଓ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଥିଲେ । ଆଜିର ଏହି କାର୍ଯ୍ୟକ୍ରମରେ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ଯୋଗ ଦେଇଥିବା ବେଳେ ବିଜେପିର ବରିଷ୍ଠ ନେତା ମନମୋହନ ସାମଲ ସଭା କାର୍ଯ୍ୟ ପରିଚାଳନା କରିଥିଲେ । ଦିବଙ୍ଗତ ବିଧାୟକ ବିଷ୍ଣୁ ସେଠୀଙ୍କ ପୁଅ ସୂର୍ଯ୍ୟବଂଶୀ ସୁରଜଙ୍କ ସମେତ ବହୁ ନେତୃବୃନ୍ଦ ଆଜିର କାର୍ଯ୍ୟକ୍ରମରେ ଯୋଗ ଦେଇ ନିଜ ନିଜର ବକ୍ତବ୍ୟ ରଖିଥିଲେ ।