ଗାନ୍ଧୀନଗରୁ-ମୁମ୍ବାଇ ଗଡିବ ବନ୍ଦେ ଭାରତ ଏକ୍ସପ୍ରେସ, ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

ଗାନ୍ଧୀନଗର,ଏଜେନ୍ସି: ଗୁଜୁରାଟ ଗାନ୍ଧୀନଗରରୁ ମୁମ୍ବାଇ ରୁଟରେ ଆଜି (ଶୁକ୍ରବାର) ନୂଆ ସେଣ୍ଟ୍ରାଲ ବନ୍ଦେ ଭାରତ ଏକ୍ସପ୍ରେସର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦୁଇ ଦିନିଆ ଗୁଜୁରାଟ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ଦେଶକୁ ତୃତୀୟ ବନ୍ଦେ ଭାରତ ଏକ୍ସପ୍ରେସ ଭେଟି ଦେଇଛନ୍ତି । ଏହି ନୂଆ ବନ୍ଦେ ଭାରତ ଏକ୍ସପ୍ରେସ ଗାନ୍ଧୀନଗରରୁ ମୁମ୍ବାଇ ଅଭିମୁଖେ ଯାତ୍ରା କରିବ । ଗୁଜୁରାଟ ଓ ମହାରାଷ୍ଟ୍ରର ଦୁଇ ରାଜଧାନୀକୁ ଯୋଡିବ ଏହି ଏକ୍ସପ୍ରେସ ।

ରବିବାରକୁ ଛାଡି ସପ୍ତାହକୁ ୬ ଦିନ ଗଡିବ ବନ୍ଦେ ଭାରତ ଏକ୍ସପ୍ରେସ । ବନ୍ଦେ ଭାରତ ଟ୍ରେନ୍‌ ନମ୍ବର ୨୦୯୦୧ ସପ୍ତାହକୁ ୬ ଦିନ ମୁମ୍ବାଇରୁ ସକାଳ 6ଟା ୧୦ରୁ ବାହାରି ଗାନ୍ଧୀନଗରରେ ୧୨ଟା ୩୦ରେ ପହଞ୍ଚିବ । ଟ୍ରେନ ନମ୍ବର ୨୦୯୦୨ ଅପରାହ୍ନ ୨ଟା ୫ରୁ ଗାନ୍ଧୀନଗରରୁ ବାହାରି ରାତି ୮ଟା ୩୫ରେ ମୁମ୍ବାଇରେ ପହିଞ୍ଚିବ । ଏଥିରେ ୧୬ଟି କୋଚ ରହିଛି । ଏକ୍ସପ୍ରେସରେ ପାଖାପାଖି ୧,୧୨୮ ଯାତ୍ରୀ ବସିବାର କ୍ଷମତା ରହିଛି । ଏହାର ଓଜନ ୩୯୨ରୁ ଟନରୁ ୩୮ ଟନକୁ କମାଇ ଦିଆଯାଇଛି ।

୨ ଫୁଟ ବନ୍ୟା ପାଣିରେ ମଧ୍ୟ ଏହା ଟ୍ରାକରେ ସହଜରେ ଗଡିବ, ଏହା କଳଙ୍କିହୀନ । ଏଥିରେ ଆଟୋମେଟିକ ଗେଟ ଖୋଲିବା ବ୍ୟବସ୍ଥା ରହିଛି । ଜିନିଷପତ୍ର ରଖିବା ପାଇଁ ମଧ୍ୟ ଅଧିକ ସ୍ଥାନ ରହିଛି । ଶୌଚାଳୟଗୁଡିକ ମଧ୍ୟ ଉନ୍ନତ ରହିଛି । ଟ୍ରେନର ପାଖାପାଖି ଅଧିକ ଜିନିଷ ଭାରତରେ ତିଆରି ହୋଇଛି । ଗାନ୍ଧୀନଗରରେ ପହଞ୍ଚିବା ପୂର୍ବରୁ ସୁରଟ, ଭାଦୋଦରା ଓ ଅହମ୍ମଦାବାଦ ୩ଟି ଷ୍ଟେସନରେ ଅଟକିବ ଏହି ଟ୍ରେନ୍‌ ।

ନୂଆ ବନ୍ଦେ ଭାରତ ଏକ୍ସପ୍ରେସରେ ଉନ୍ନତମାନର ବୈଶିଷ୍ଟ ରହିଛି । ଯାତ୍ରୀଙ୍କ ଯାତ୍ରାକୁ ସହଜ ଓ ସୁନ୍ଦର କରିବାକୁ ରିସାଇକ୍ଲିଙ୍ଗ ସିଟ, ଅଟୋମେଟିକ ଫାୟର ସେନ୍ସର, ସିସିଟିଭ କ୍ୟାମେରା, ମାଗଣା ଇଣ୍ଟେନେଟ ସେବା, ୩ ଘଣ୍ଟା ବ୍ୟାଟେରୀ ବ୍ୟାକଅପ ସହ ଜିପିଏସ ସିଷ୍ଟମ ରହିଛି । ଅଗଷ୍ଟ ୨୦୨୩ ସୁଦ୍ଧା ଚେନ୍ନାଇର ଆଇସିଏଫ (ଇଣ୍ଟିଗ୍ରାଲ କୋଚ୍‌ ଫାକ୍ଟ୍ରି) ଅଧିକ ୭୫ ବନ୍ଦେ ଭାରତ ଏକ୍ସପ୍ରେସ ତିଆରି କରିବାକୁ ଲକ୍ଷ୍ୟ ରଖିଛି ।

ପୂର୍ବରୁ ଦୁଇଟି ବନ୍ଦେ ଭାରତ ଏକ୍ସପ୍ରେସର ଶୁଭାରମ୍ଭ ସାରିଛି । ଦିଲ୍ଲୀରୁ ବାରଣାସୀ ଓ ଦିଲ୍ଲୀରୁ ବୈଷ୍ଣୋଦେବୀକୁ ବନ୍ଦେ ଭାରତ ଟ୍ରେନ ଚଳାଚଳ ହେଉଛି । ଗାନ୍ଧୀନଗରରୁ ଟ୍ରେନର ଶୁଭାରମ୍ଭ ସମୟରେ ପ୍ରଧାନମନ୍ତ୍ରୀଙ୍କ ସହ ଗୁରୁରାଟ ମୁଖ୍ୟମନ୍ତ୍ରୀ ବିଜୟ ରୁପାନୀ, ରାଜ୍ୟପାଳ ଆଚାର୍ଯ୍ୟ ଦେବବ୍ରତ ଓ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ବିନୀ ଉପସ୍ଥିତ ଥିଲେ ।