ଖପ୍ରାଖୋଲ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ବିଶେଷଜ୍ଞ ଡାକ୍ତର ନିଯୁକ୍ତି ପାଇଁ ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ନିରଞ୍ଜନ ବିଶି

ପାଟଣାଗଡ଼,ଏନ୍ଏନ୍ଏସ୍: ବଲାଙ୍ଗିର ଜିଲ୍ଲାର ମ୍ୟାଲେରିଆ ପ୍ରବଣ ଅଞ୍ଚଳ ଖପ୍ରାଖୋଲ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ବିଶେଷଜ୍ଞ ଡାକ୍ତର ପଦବୀ ଖାଲିପଡିଛି। ଏହାକୁ ତୁରନ୍ତ ପୂରଣ ପାଇଁ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କୁ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି ଚିଠି ଲେଖିଥିବା ଜଣାଯାଇଛି। କିଛିଦିନ ତଳେ ସାଂସଦ ବିଶି ଖପ୍ରାଖୋଲ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରିଦର୍ଶନ କରିଥିବା ବେଳେ ବିଶେଷଜ୍ଞ ଡାକ୍ତର ପଦବୀ ଖାଲିଥିବା ସ୍ଥାନୀୟ ଜନସାଧାରଣ, ପ୍ରେସ କ୍ଲବ୍‌ ସଦସ୍ୟ ଜଣାଇଥିଲେ।

ସରକାରୀ ନିୟମ ଅନୁସାରେ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭେଷଜ ବିଶେଷଜ୍ଞ, ସ୍ତ୍ରୀ ଓ ପ୍ରସୂତି ବିଶେଷଜ୍ଞ, ଶିଶୁ ରୋଗ ବିଶେଷଜ୍ଞ, ଶଲ୍ୟ ବିଶେଷଜ୍ଞ ପ୍ରମୁଖ ନିଯୁକ୍ତ ହେବାକଥା। କିନ୍ତୁ ବିନା ବିଶେଷଜ୍ଞ ପଦବୀରେ ଚାଲିଛି ସ୍ବାସ୍ଥ୍ୟକେନ୍ଦ୍ର। ଯାହା ଫଳରେ ଖପ୍ରାଖୋଲ ଅଞ୍ଚଳର ଲୋକେ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି। ଏନେଇ ସେମାନେ ପାଟଣାଗଡ, ବଲାଙ୍ଗିର, ନୂଆପଡ଼ା, ପଦ୍ମପୁର, ବରଗଡ଼ ପ୍ରମୁଖ ଡାକ୍ତରଖାନାକୁ ଯିବାକୁ ବାଧ୍ୟ ହେଉଛନ୍ତି। ଏନେଇ ପୂର୍ବରୁ ପ୍ରଶାସନକୁ ଜଣାଇଥିଲେ ମଧ୍ୟ କିଛି ଫଳ ମିଳିନି।

ସୂଚନାଯୋଗ୍ୟ ଯେ, ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଏକ ଭେଷଜ ବିଶେଷଜ୍ଞ ନିଯୁକ୍ତ ହୋଇଥିଲେବି ତାକୁ ୪ ମାସ ହେଲା ଡେପୁଟେସନରେ ଟିଟିଲାଗଡ ପଠାଯାଇଥିବା ଜଣାଯାଇଛି। ଏବେ ଦେଖିବାକୁ ବାକି ରହିଲା ସାଂସଦଙ୍କ ଚିଠି ପରେ ସ୍ବାସ୍ଥ୍ୟମନ୍ତ୍ରୀ ଓ ସ୍ବାସ୍ଥ୍ୟ ବିଭାଗ କି ପଦକ୍ଷେପ ନେଉଛି।