ଝାରସୁଗୁଡ଼ାରୁ ଏହି ୩ ସହରକୁ ଉଡ଼ିଲା ବିମାନ ଜିଲ୍ଲା By Nitidin Last updated May 2, 2021 Share ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଝାରସୁଗୁଡ଼ା ଓ ପାଟନା ମଧ୍ୟରେ ଶନିବାରଠାରୁ ଆରମ୍ଭ ହୋଇଛି ବିମାନ ସେବା । ଏହି ସେବା ଆରମ୍ଭ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟାନାୟକ ଟ୍ୟୁଟ୍ କରି ଓଡିଶାବାସୀଙ୍କୁ ସାଧୁବାଦ ଜଣାଇବା ସହ ଏହାଦ୍ୱାରା ଯାତ୍ରୀ, ଛାତ୍ରଛାତ୍ରୀ ତଥା ବ୍ୟବସାୟୀମାନେ ବହୁଳ ଭାବରେ ଉପକୃତ ହୋଇପରିବେ ବୋଲି ପ୍ରକାଶ କରିଛନ୍ତି । ଅନ୍ୟପଟେ ଉତ୍ତର-ପୂର୍ବ ଭାରତ ସହ ଆକାଶ ମାର୍ଗରେ ଝାରସୁଗୁଡ଼ା ତଥା ପଶ୍ଚିମ ଓଡ଼ିଶା ଯୋଡ଼ି ହେବା ଦିଗରେ ଗ୍ରହଣ କରାଯାଇଥିବା ପଦକ୍ଷେପକୁ ବିଭିନ୍ନ ମହଲରେ ସ୍ୱାଗତ କରାଯାଇଛି । ପ୍ରଥମ ଦିନରେ ପାଟନାରୁ ଝାରସୁଗୁଡାକୁ ୧୬ ଜଣ ଯାତ୍ରୀ ଆସିଥିବାବେଳେ ଝାରସୁଗୁଡା ରୁ ୩୯ ଜଣ ଯାତ୍ରୀ ଯାତ୍ରା କରିଥିଲେ । ସେମାନଙ୍କ ମଧ୍ୟରୁ ୩୧ ଜଣ ପାଟନାକୁ ଯାତ୍ରା କରିଥିବା ବେଳେ ୯ ଜଣ ଗୌହାଟୀକୁ ଯାତ୍ରା କରିଥିଲେ । ସ୍ପାଇସଜେଟର ୭୮ ସିଟ୍ ବିଶିଷ୍ଟ ଏହି ବିମାନ ପ୍ରତିଦିନ ଝାରସୁଗୁଡାରୁ ପାଟନାକୁ ଚଳାଚଳ କରିବ । ଏହି ବିମାନଟି ଅମୃତସରରୁ ବାହାରି ପାଟନା ଦେଇ ଅପରାହ୍ଣ ୪ଟା୨୦ ମିନିଟରେ ଝାରସୁଗୁଡ଼ାକୁ ପହଞ୍ଚିବାସହ ଅପରାହ୍ଣ୍ନ ୪ଟା ୪୦ ମିନିଟରେ ପାଟନା ଅଭିମୁଖେ ଯାତ୍ରା କରିବ । ଏହାପରେ ପାଟନା ଦେଇ ଏହି ବିମାନ ଗୌହାଟି ଅଭିମୁଖେ ଉଡ଼ିବ । ଫଳରେ ପାଟନା ଓ ଗୌହାଟିକୁ ଝାରସୁଗୁଡ଼ାରୁ ଯାତ୍ରୀମାନେ ଯାତାୟାତ କରି ପରିବେ । ଏହା ପୂର୍ବରୁ ମଧ୍ୟ ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରୁ ଭୁବନେଶ୍ୱର, ରାୟପୁର, କୋଲକାତା, ହାଇଦ୍ରାବଦ, ଦିଲ୍ଲୀ, ମୁମ୍ବାଇ, ଚେନ୍ନାଇ ଓ ବେଙ୍ଗାଲୁରୁକୁ ବିମାନ ଚଳାଚଳ କରୁଛି । Share