ଝାରସୁଗୁଡ଼ା: ପୁଲିସ ଜିଡି ଶ୍ରୀ ଅଭୟ ଆଜି ଝାରସୁଗୁଡା ଜିଲ୍ଲା ଗସ୍ତରେ ଆସି କୋଭିଡ ଏନଫୋର୍ସମେଣ୍ଟ ତଦାରଖ କରିଛନ୍ତି । କରୋନା ପାଇଁ ମୁଖ୍ୟତଃ ସୀମାନ୍ତ ଅଞ୍ଚଳରେ କିପରି ଯାଞ୍ଚ ପ୍ରକ୍ରିୟା ଚାଲିଛି, ଜିଲ୍ଲାରେ ଆଇନ ଶୃଙ୍ଖଳା କିପରି ପରିଚାଳିତ ହେଉଛି ଆଦି ସମସ୍ତ ବିଷୟକୁ ତଦାରଖ କରିଛନ୍ତି ଡିଜିପି । ଏହାସହ କୋଭିଡ କଟକଣା ଓ ଏନଫୋର୍ସମେଣ୍ଟକୁ ଆହୁରି କଡାକଡ଼ି ଭାବରେ ଲାଗୁକରି ଯେପରି କେହି କରୋନା ଗାଇଡ଼ଲାଇନକୁ ଉଲ୍ଲଂଘନ ନକରିବେ ସେ ଦିଗରେ ପଦକ୍ଷେପ ଗ୍ରହଣ କରିବା ପାଇଁ ଜିଲ୍ଲା ପୁଲିସକୁ ନିର୍ଦେଶ ଦେଇଛନ୍ତି। ଯେଉଁ ବ୍ୟକ୍ତି କରୋନା ଗାଇଡଲାଇନ ଉଲ୍ଲଂଘନ କରିବେ ତା ବିରୋଧରେ ଆଇନ ଅନୁଯାୟୀ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାସହ ରାଉରକେଲା, ଝାରସୁଗୁଡା, ସମ୍ବଲପୁର ଦେଇ ଅକ୍ସିଜେନ କିପରି ରାଜ୍ୟସରକାର ପଠାଉଥିବା ସମସ୍ତ ସ୍ଥାନକୁ ସୁରୁଖୁରୁରେ ପହଞ୍ଚି ପରିବ ସେଥିପ୍ରତି ବିଶେଷ ଧ୍ୟାନ ଦେବାପାଇଁ ଅଭୟ ଜିଲ୍ଲା ପୁଲିସକୁ ନିର୍ଦେଶ ଦେଇଛନ୍ତି । ସେହିପରି ରାଜ୍ୟ ସରକାର ବୁଧବାରଠାରୁ ଘୋଷଣା କରିଥିବା ୧୪ ଦିନିଆଁ ଲକଡାଉନକୁ କଡାକଡ଼ି ଭାବରେ ଜିଲ୍ଲାରେ ଲାଗୁ କରାଯିବା ବୋଲି ସେ କହିଛନ୍ତି। ଏହାସହ ଡିଜିପି ଅଭୟ ଝାରସୁଗୁଡାର ବିଭିନ୍ନ ଥାନା ବୁଲିବାସହ ପୁଲିସ କର୍ମଚାରୀ ଓ ସାଧାରଣ ଲୋକଙ୍କସହ ଜିଲ୍ଲାରେ ଆଇନ ଶୃଙ୍ଖଳା ବିଷୟରେ ଆଲୋଚନା କରିଛନ୍ତି । ଏହି ଅବସରରେ ଆଇନ ଶୃଙ୍ଖଳା ଏଡ଼ିଜି ୟଶବନ୍ତ ଜେଠୁଆ , ଝାରସୁଗୁଡା ଏସପି ବିକାଶ ଚନ୍ଦ୍ର ଦାସ, ବ୍ରଜରାଜନଗର ଏସଡିପିଓ ଦିଲ୍ଲୀପ ଦାସ ପ୍ରମୁଖଙ୍କ ସହ ଜିଲ୍ଲା ପୁଲିସର କର୍ମଚାରୀମାନେ ଉପସ୍ଥିତ ଥିଲେ।