ମନ୍ଦିରରୁ ଟାଇଲ ଚୋରି କରି ୪ ଗିରଫ

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଶିବରାମପୁର ଗ୍ରାମର ଏକ ନିର୍ମାଣଧିନ ମନ୍ଦିର ପରିସରରୁ ଟାଇଲ ଚୋରି କରିଥିବା ୪ ଜଣ ଅଭିଯୁକ୍ତଙ୍କୁ ବଡ଼ମାଳ ପୁଲିସ ଗିରଫ କର କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତମାନେ ଶିବରାମପୁରର ଶନିଶ୍ଚର ଓରାମ, ମିଶ୍ର ଓରାମ, ଅନୀଲ ଭୋଇ ଓ କୁନା କିସାନ ବୋଲି ବଡ଼ମାଲ ଥାନା ଅଧିକାରୀ ଅମିତାଭ ପଣ୍ଡା ସୂଚନା ଦେଇଛନ୍ତି। ସୂଚନା ଅନୁଯାୟୀ ଅଭିଯୁକ୍ତମାନେ ଗତ ୨୪ ତାରଖଖ ବିଳମ୍ବିତ ରାତିରେ ବଡ଼ମାଲ ଥାନା ଦଲକି ପଞ୍ଚାୟତ ଅନ୍ତର୍ଗତ ଶିବରାମପୁର ଗାଁର ଅରବିନ୍ଦି ଆଶ୍ରମ ପ୍ରାଙ୍ଗଣରେ ନିର୍ମାଣଧିନ ଅରବିନ୍ଦ ମନ୍ଦିରରୁ ୬୫ଟି ଟାଇଲ ପ୍ୟାକେଟ ଚୋରି କରିନେଇଥିଲେ । ଯାହାର ଆନୁମାନିକ ମୂଲ୍ୟ ୭୦ ହଜାର ଟଙ୍କା ହେବ। ଏନେଇ ଅରବିନ୍ଦ ଆଶ୍ରମ ପ୍ରିନ୍ସପାଲ ପ୍ରଶାନ୍ତ କୁମାର ପାଲ ବଡ଼ମାଲ ଥାନାରେ ଲିଖିତ ଅଭିଯୋଗ କରିବାପରେ ପୁଲିସ ଏହି ମାମଲାର ତଦନ୍ତ ଆରମ୍ଭ କରିଥିଲା । ଏହାର ତଦନ୍ତକରି ପୂର୍ବରୁ ଅନେକ ଚୋରି ମାମଲାରେ ସାମିଲ ରହିଥିବା ଶନିଶ୍ଚର ଓରାମକୁ ପୁଲିସ ପଚାରା ଉଚୁରା କରିବାରୁ ସେମାନେ ଚୋରି କରିବା ସ୍ୱିକାର କରିଥିବାସହ ଟାଇଲସ ଲୁଚାଇ ଥିବା ସ୍ଥାନ ବିଷୟରେ ସୂଚନା ଦେଇଥିଲେ। ଏହାପରେ ପୁଲିସ ଏକ ପରିତକ୍ତ କୂଅରୁ ସମସ୍ତ ଟାଇଲକୁ ଉଦ୍ଧାର କରିବା ସହିତ ଟାଇଲ ବୋହିବା ପାଇଁ ବ୍ୟବହୃତ ହୋଇଥିବା ଏକ ସ୍କର୍ପିଓ ଓ ଏକ ଆପାଚି ବାଇକକୁ ଜବତ କରିଛି ।