ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଝାରସୁଗୁଡ଼ା ଜିଲ୍ଲାରେ କରୋନା ସଂକ୍ରମଣକୁ ରୋକିବା ପାଇଁ ଜୁଲାଇ ମାସର ପ୍ରତ୍ୟେକ ଶନିବାର ଓ ରବିବାର ହେଉଥିବା ସଟଡାଉନକୁ ଆହୁରି କଡ଼ାକଡ଼ି କରାଯାଇଛି। ଆଜି ଜିଲ୍ଲାର ପ୍ରତ୍ୟେକ ଛକରେ ପୁଲିସ ଉପସ୍ଥିତ ରହି ଘରୁ ବାହାରକୁ ବାହାରିଥିବା ଲୋକଙ୍କୁ ଯାଞ୍ଚ କରିଥିଲା। କେବଳ ଅତ୍ୟାବଶ୍ୟକ କାମରେ ଘରୁ ବାହାରିଥିବା ଲୋକଙ୍କୁ ଯାତାୟତ ପାଇଁ ଅନୁମତି ପ୍ରଦାନ କରୁଥିବାବେଳେ ଅକାରଣେ ଘରୁ ବାହାରିଥିବା ଲୋକଙ୍କ ବିରୋଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ସେହିପରି ଜିଲ୍ଲାରେ ସାଧାରଣ ପରିବହନ, ଦୋକାନ ବଜାର ସମ୍ପୂର୍ଣ୍ଣ ବନ୍ଦ ରହିଛି। କେବଳ ଜରୁରୀକାଳୀନ ସେବା ପ୍ରଦାନ କରୁଥିବା ସଂସ୍ଥା ଯଥା ଚିକିତ୍ସାଳୟ, ପୁଲିସ ଷ୍ଟେସନ, ଅଗ୍ନିଶମ ବିଭାଗ, ପ୍ରଶାସନିକ କାର୍ଯ୍ୟ ତଥା ଜିଲ୍ଲାପାଳଙ୍କ କାର୍ଯ୍ୟ ସହ ସମ୍ପୃକ୍ତ ଥିବା କାର୍ଯ୍ୟାଳୟ ଖୋଲା ରହିଛି। ସେହିପରି କୃଷି, ଗୋପାଳନ ନିମନ୍ତେ ଅତ୍ୟାବଶ୍ୟକ ସାମଗ୍ରୀ ମିଳୁଥିବା ଦେକାନ, ପେଟ୍ରୋଲ ପମ୍ପ, ଦୁଗ୍ଧ, ଜଳ ଓ ବିଦ୍ୟୁତ ଯୋଗାଣ ଆଦିକୁ ସଟଡାଉନରୁ ବାଦ ଦିଆଯାଇଛି।